Unknown

 

 

 

 

 

 

 

 

 

 

 

ଜଙ୍ଗଲ ଭୂଇଁରୁ ଜହ୍ନ ରାଇଜ

ଲିଲିମା ଶତପଥୀ

 

ସୂଚୀପତ୍ର

 

୧.

ମଙ୍ଗୁଳୁ ଶିଖୁଲା ବୁଦ୍ଧି

୨.

ମଣିଷ ପଣିଆ

୩.

ଲୋଭୀ ମହୁଲୀ

୪.

ସାହସୀ ବବି ଦୁଷ୍ଟ କାଲୁରାମ

୫.

କୁନାର ନିଦ ଭାଙ୍ଗିଲା

୬.

ପିଙ୍କୁର ଅଗଷ୍ଟ ପନ୍ଦର

୭.

ଲିପି ଓ ପରୀଜେମା

☆☆☆

 

ଗାଳ୍ପିକାଙ୍କ କଲମରୁ....

 

ପିଲାମାନେ !

ଆକାଶବାଣୀରେ ଶିଶୁ ଓ କିଶୋର କାର୍ଯ୍ୟକ୍ରମ ଉପସ୍ଥାପନା କରିବା ଅବସରରେ ତୁମ ପରି କୁନି କୁନି ପିଲାମାନଙ୍କ ସହ ମିଶିବାର ସୁଯୋଗ ପାଇଥିଲି । ‘ଧ୍ରୁବତାରା’ ଅନୁଷ୍ଠାନର ମାସିକ ସାହିତ୍ୟ ଆସରମାନଙ୍କରେ ମଧ୍ୟ ତୁମମାନଙ୍କୁ ଅତି ନିକଟରୁ ପରଖିବାର ଅନୁଭୂତି ହୋଇଛି । ତୁମେମାନେ ଭାରି ଭଲ । ତୁମମାନଙ୍କର ମନ କାଚ ପରି ସ୍ଵଚ୍ଛ । ତେଣୁ ତୁମେ ସବୁ ସରଳ,ସୁନ୍ଦର ତୁମରି ଏହି ସରଳ ମନକୁ ଛୁଇଁବା ପାଇଁ ୧୯୯୨ ମସିହାରେ କବିତା ପୁସ୍ତକ ‘ଝାଇଁକି ଝୁମା ଝୁମୁରୁ ଝାଇଁ’ ପ୍ରକାଶନ କରିଥିଲି । ପୁସ୍ତକଟି ତୁମମାନଙ୍କ ଦ୍ଵାରା ଆଦୃତ ହେବାରୁ ଗଳ୍ପ ପୁସ୍ତକଟିଏ ଛାପିବାପାଇଁ ଇଚ୍ଛା କରିଥିଲି । ତେବେ ସମୟ ଓ ସୁଯୋଗ ଅଭାବରୁ ତୁରନ୍ତ ଛାପିବା ସମ୍ଭବପର ହୋଇ ନଥିଲା । ୧୯୯୫ ମସିହା ନଭେମ୍ବର ମାସରେ ପୁସ୍ତକଟିର ପ୍ରକାଶନ କାର୍ଯ୍ୟ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ହେଁ, ପୁଣି ବାଧା ଉପୁଜିଲା । ହେଲେ ପ୍ରକାଶନର ଆଶା ଶେଷ ହୋଇନଥିଲା । କିଛି ମାସ ପରେ ପୁଣି କାମ ଆରମ୍ଭ ହେଲା । ତୁମମାନଙ୍କ ପାଇଁ ନୂଆ ବହିଟିଏ ପ୍ରକାଶିତ ହେଲା । ବହିଟିର ନାମ ରଖିଲି “ଜଙ୍ଗଲ ଭୂଇଁରୁ ଜହ୍ନ ରାଇଜ ।”

ହଁ ! ପିଲାମାନେ, ତୁମେମାନେ ଯେତିକି ସରଳ, ସେତିକି ଜିଞ୍ଜାସୁ ବି । ପ୍ରକୃତି କୋଳର ଗଛଲତା, ନଦୀନାଳ, ପଶୁପକ୍ଷୀ, କୀଟପତଙ୍ଗଠାରୁ ଆରମ୍ଭ କରି ଗ୍ରହ-ନକ୍ଷତ୍ର ପୁଣି ଜହ୍ନମାମୁ ଆଉ ପରୀ ରାଇଜ ପର୍ଯ୍ୟନ୍ତ ସବୁ ବିଷୟରେ ଜାଣିବା ପାଇଁ ତୁମର ଆଗ୍ରହ ଅନେକ ତୁମମାନଙ୍କର ଆଗ୍ରହ ଓ ମୋର ଅନୁଭୂତିକୁ ମିଶାଇ ଏଥର ଭେଟିକରି ଗଳ୍ପ ପୁସ୍ତକ “ଜଙ୍ଗଲ ଭୂଇଁରୁ ଜହ୍ନ ରାଇଜ”-

 

କେବଳ ପ୍ରକୃତିର ସବୁଜିମା କିମ୍ବା ବିଜ୍ଞାନର ବିବିଧ କୌଶଳ, ଆବିଷ୍କାର ବିଷୟରେ ଜାଣିଲେ ହେବନି, ଜୀବନରେ ଭଲ ମଣିଷ ହେବାକୁ ହେଲେ, ଧୈର୍ଯ୍ୟ, ସହିଷ୍ଣୁତା, ସ୍ନେହ, ଶ୍ରଦ୍ଧା, ପରୋପକାର, ସ୍ୱାର୍ଥତ୍ୟାଗ ଆଦି ଗୁଣଗୁଡ଼ିକୁ ମଧ୍ୟ ଶିକ୍ଷା କରିବାକୁ ପଡ଼ିବ । କାହିଁକି ନା–

 

ପରର ଦୁଃଖରେ ଦୁଃଖୀ ହୁଏ ଯିଏ

ତା’ ପରି ସୁଖୀ କେ ନାହିଁ ।,

ନିଜ କଥା ଖାଲି ଭାବୁଛି ଯେ ବସି

ତା’ ଠାରୁ ଦୁଃଖୀ କେ ନାହିଁ ।

 

ମୋର ଆଶା ତୁମେମାନେ ଏହି ପୁସ୍ତକରେ ସ୍ଥାନ ପାଇଥିବା ସାତଟି ଯାକ ଗଳ୍ପ ମନଦେଇ ପଢ଼ିବ । ଗଳ୍ପ ଗୁଡ଼ିକ ତୁମ ମନକୁ ପାଇଲେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ମନେ କରିବି । ପୁସ୍ତକଟିକୁ ତୁମମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ଦିଗ୍‌ଦର୍ଶନ ଦେଇଥ‌ିବାରୁ ଓ ସମୀକ୍ଷା କରିଥିବାରୁ ବଡ଼ଭାଇ ନଦୀୟା ବିହାରୀ ମହାନ୍ତିଙ୍କ ନିକଟରେ ମୁଁ ଋଣୀ । ଶେଷରେ ପୁସ୍ତକଟିରେ ପ୍ରକାଶନ ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ପ୍ରକାଶକଙ୍କୁ ଅଶେଷ ଧନ୍ୟବାଦ । ଆଜି ପାଇଁ ଏତିକି ।

 

ତୁମର

ଲିଲିମା ଅପା

 

ବଡ଼ଭାଇଙ୍କ ମତାମତ

 

ଶିଶୁ ସାହିତ୍ୟରେ ଆଜି ଲିଲିମା ଶତପଥୀଙ୍କ ନାମ ନୂଆ ନୁହେଁ । ୧୯୯୨ ମସିହାରେ ତାଙ୍କର କବିତା ପୁସ୍ତକ “ଝାଇଁକି ଝୁମା ଝୁମୁର ଝାଇଁ” ପ୍ରକାଶ ପାଇଥିଲା । ଏହା ତାଙ୍କର ଦ୍ୱିତୀୟ ପୁସ୍ତକ । ଆକାଶବାଣୀରେ ବହୁଦିନ ଧରି ସାମୟିକ ଉପସ୍ଥାପିକା ଓ ଘୋଷିକା ଭାବେ କାର୍ଯ୍ୟ କରିଥିବା ଲିଲିମା ଶତପଥୀ କେବଳ ଜଣେ ଶିଶୁ ସାହିତ୍ୟିକା ନୁହଁନ୍ତି, ଜଣେ କବି, ଆଲୋଚିକା ଏବଂ କଳାକାର ମଧ୍ୟ ।

 

ଗଳ୍ପ ପୁସ୍ତକ ‘ଜଙ୍ଗଲ ଭୂଇଁରୁ ଜହ୍ନ ରାଇଜ’ରେ ସେ ଇନ୍ଦ୍ରଧନୁର ସପ୍ତରଙ୍ଗ ପରି, ସାତଟି ଅନୁଭୂତିର, ସାତଟି ଶିକ୍ଷଣୀୟ ଗଳ୍ପ ଭେଟି ଦେଇଛନ୍ତି । ବେଶ୍‌ ସରଳ ଭାଷା ଓ ସାବଲୀଳ ଶୈଳୀରେ ଲେଖିଥ‌ିବା ଗପଗୁଡ଼ିକୁ ପାଠ କଲାପରେ, ମୁଁ ଅନୁଭବ କରିଛି ଯେ ସେ କେବଳ ପ୍ରକୃତିକୁ ଭଲ ପାଆନ୍ତିନି; ପ୍ରକୃତି କୋଳରେ କୁନି କୁନି ଶିଶୁ ଓ କିଶୋରଙ୍କୁ ଭଲ ପାଆନ୍ତି । ତେଣୁ ଏହି ପୁସ୍ତକଟିରେ ସେ କେବଳ ଧୈର୍ଯ୍ୟ ସାହସିକତା ଆଦି ଭଲ ଗୁଣ ବିଷୟରେ ଉପଦେଶ ଦେଇନାହାନ୍ତି । ଛୋଟ ଛୋଟ ପିଲାମାନଙ୍କ ପ୍ରତି ହେଉଥ‌ିବା ଅନ୍ୟାୟ, ହିଂସା, ଶୋଷଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛନ୍ତି । ପୁଣି ଶିଶୁ କନ୍ୟାମାନଙ୍କ ପ୍ରତି ପିତାମାତାଙ୍କର ଅବହେଳା ମନୋଭାବ ପରିଲକ୍ଷିତ ହେଉଥିବାବେଳେ, ଗାଳ୍ପିକା, ସମାଜରେ ପୁଅଝିଅଙ୍କ ଭିତରେ ଥିବା ପ୍ରଭେଦକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି–ନିଜର ଗଳ୍ପ ଜରିଆରେ । ଖାଲି ସେତିକି ନୁହେଁ, ବିଜ୍ଞାନଯୁଗର ମଣିଷ ବୋଲାଇ, ଅଳସୁଆ ନ ହୋଇ କର୍ତ୍ତବ୍ୟରତ ହେବାକୁ ଚେତେଇ ଦେଇଛନ୍ତି ମଧ୍ୟ ।

 

ଏହି ପୁସ୍ତକର ପ୍ରଥମ ଗଳ୍ପ ‘ମଙ୍ଗୁଳୁ ଶିଖିଲା ବୁଦ୍ଧି” ରେ ଗଛଲତା, ବଣ, ଜଙ୍ଗଲର ଉପକାରିତା ବିଷୟ ସହ, ଶେଷ ଗଳ୍ପ ଲିପି ଓ ପରୀଜେମା’ ଗଳ୍ପରେ ଜହ୍ନ ରାଇଜରୁ ଓହ୍ଲାଇ ଆସିଥ‌ିବା ପରୀକନ୍ୟାଟିର ମଣିଷ ଶିଶୁ କନ୍ୟାଟି ପ୍ରତି ଆନ୍ତରିକତା, ସହଯୋଗ ପୁଣି ଉପକାର ଆଦି ବିଷୟକୁ ବିଚାର କଲେ, ପୁସ୍ତକଟିର ନାମକରଣର ଯଥାର୍ଥତା ପ୍ରତିପାଦିତ ହୋଇଛି ବୋଲି ମନେହୁଏ ।

 

ତେଣୁ ଗଳ୍ପ ପୁସ୍ତକଟି ଯେ ଶିଶୁ, କିଶୋର ଏବଂ ଶିଶୁ ସାହିତ୍ୟ ପ୍ରେମୀମାନଙ୍କ ଦ୍ଵାରା ଆଦୃତ ହେବ, ଏ ବିଶ୍ଵାସ ରହିଛି ।

 

ତେବେ ଗଛ କବିତା ସହ, ଶିଶୁ ସାହିତ୍ୟର ଅବହେଳିତ ଦିଗ (ନାଟକ) ଟିରେ ଗାଳ୍ପିକା କୁମାରୀ ଶତପଥୀ ଲେଖନୀ ଚାଳନା କରିଲେ, ଶିଶୁ ସାହିତ୍ୟକୁ ଅଧିକ ସମୃଦ୍ଧ କରିପାରିବେ ।

 

ତାଙ୍କର ଲେଖନୀ ସୃଷ୍ଟିର ସର୍ଜନାରେ ଅଧିକ ସଫଳ ହେଉ, ତାଙ୍କର ସାହିତ୍ୟ ସାଧନା ଅବିରତ ଚାଲିଥାଉ, ଏହି ଶୁଭକାମନା କରୁଛି ।

 

ଶୁଭାକାଂକ୍ଷୀ

ଶ୍ରୀ ନଦୀୟା ବିହାରୀ ମହାନ୍ତି (ବଡ଼ଭାଇ)

ଶିଶୁ ସାହିତ୍ୟିକ

☆☆☆

 

ମଙ୍ଗୁଳୁ ଶିଖିଲା ବୁଦ୍ଧି

 

ସ୍କୁଲରୁ ଫେରିବା ବାଟରେ ମଙ୍ଗୁଳୁ ଭାବିଲା ଟିକିଏ ଥକ୍କାମାରି ବସିଯିବ ଗଛ ମୂଳରେ । ହେଲେ କାଇଁ, ପାଖରେ ଗୋଟିଏ ବୋଲି ଗଛ ଦେଖାଯାଉ ନାହିଁ । କିଛି ବାଟ ଗଲାପରେ ମଙ୍ଗୁଳୁ ଗୋଟିଏ ଗଛ ଦେଖି ଲଥ୍‌ କରି ବସିପଡ଼ିଲା । ଓଃ କି ଗରମ ! ଶୋଷରେ ତଣ୍ଟି ଶୁଖିଗଲା ପରି ଲାଗୁଚି । ମଙ୍ଗୁଳୁର ମନେ ପଡ଼ିଲା ଧନୀଦାଦିଙ୍କ କଥା । ଦାଦି ସକାଳେ ବୋଉକୁ କହୁଥିଲେ–“ଶ୍ରାବଣ ଆସି ଅଧାହେଲା, ବରଷାର ଦେଖାନାଇଁ । ଜମି ସବୁ ଫାଟି ଆଁ କଲାଣି । ବରଷା ନହେଲେ କ’ଣ ଫସଲ ହବ ଏ ବରଷ ?”

 

ମଙ୍ଗୁଳୁ ଭାବିଲା, ଦାଦିଙ୍କ କଥା ଯେବେ ସତ ହୁଏ ! ସତରେ ବରଷା ନହେଲେ ଫସଲ ହେବ କେମିତି ଯେ ? ଆଉ ଫସଲ ନହେଲେ, ଖାଇବା କ’ଣ, ଚଳିବା କେମିତି ?

 

ମୁଣ୍ଡପୋତି ଭାବୁ ଭାବୁ ମଙ୍ଗୁଳୁ ଚିନ୍ତାରେ ବୁଡ଼ିଗଲା । କାହାର ସୁଁ ସୁଁ କାନ୍ଦରେ ମଙ୍ଗୁଳୁ ମୁଣ୍ଡଟେକି ଚାହିଁଲା । ଦେଖିଲା, ବୁଢ଼ୀଟିଏ ନିକଟରେ ଥୁଣ୍ଟା ଗଛଟିକୁ ଆଉଜି ବସିଛି । ମଙ୍ଗୁଳୁ ପଚାରିଲା–“ମାଉସୀ, ତୁମର କ’ଣ ହେଇଛି ? ତୁମେ କାନ୍ଦୁଛ କାଇଁକି ?”

 

ବୁଢ଼ୀ କହିଲା–“ତୁମମାନଙ୍କ ଦୁଃଖରେ ମୁଁ ଦୁଃଖୀ । ତୁମରି ମାନଙ୍କ ଦୁଃଖ ସହି ନପାରି କାନ୍ଦୁଛି ।”

 

ମଙ୍ଗୁଳୁ ବୁଢ଼ୀ କତିକି ଲାଗିଯାଇ କହିଲା–“ମୁଁ ତ ତୁମ କଥା କିଛି ବୁଝିପାରୁନି ମାଉସୀ-!”

 

ବୁଢ଼ୀ ମଙ୍ଗୁଳୁର ହାତ ଧରି ନେଇଗଲା ଗୋଟିଏ ମୁଣ୍ଡିଆ ଉପରକୁ । କହିଲା–“ଦେଖୁଚୁ ଏ ଟାଙ୍ଗରା ଭୂଇଁକୁ ! ଦୁଇ ଚାରିଟା ଗଛକୁ ଛାଡ଼ିଦେଲେ ଆଉ କୋଉ ଗଛରେ ଡାଳ ପତ୍ରଟାଏବି ନାଇଁ । ହେଇ ଦେଖ, କେତେ ଗଛ ମୂଳ ସହ ଓପଡ଼ା ହେଇଯାଇଚି । ଦିନଥିଲା ଏଇ ଇଲାକାଟା ଗଛ ଲତାରେ ଭରି ରହିଥିଲା । ସବୁଜ ଗଛମାନ ଫୁଲ, ଫଳରେ ହସି ଉଠୁଥିଲେ-।”

 

ମଙ୍ଗୁଳୁ କହିଲା–“ନହେଲା ନାଇଁ । ଏତେ ଗଛ ଆମର କ’ଣ ହବ ?”

 

ବୁଢ଼ୀ ଚିହିଁକି ଉଠି କହିଲା–“କ’ଣ କହିଲୁ ? ଗଛ ତୁମର କ’ଣ ହେବ ? ଆଚ୍ଛା ଆଜି ଥକ୍କା ମାରିବାକୁ ଯୋଉ ଗଛ ମୂଳରେ ଆସି ବସିପଡ଼ିଲୁ, କାଲି ଯେତେବେଳେ ସେ ଗଛ ବି କଟା ହେଇଯିବ, ସେତେବେଳେ କୋଉଠି ବସି ପଡ଼ିବୁ ଘଡ଼ିଏ ?”

 

ମଙ୍ଗୁଳୁ ଥଙ୍ଗ ଥଙ୍ଗ ହୋଇ କହିଲା–“ତା ସତ ଯେ’...

 

ବୁଢ଼ୀ ମଙ୍ଗୁଳୁ ପାଟିରୁ କଥା ଛଡ଼େଇ କହିଲା–“ଗଛ ତ ଖାଲି ଛାଇ ଦେଉନି । ସୁନ୍ଦର ସୁନ୍ଦର ଫୁଲ ଦେଉଛି । ସେଇ ସୁନ୍ଦର ସୁନ୍ଦର ଫୁଲର ମହକରେ ବାୟୁମଣ୍ଡଳ ସୁବାସିତ ହେଉଛି । କଦଳୀ, ସପୁରୀ, ନଡ଼ିଆ ପଣସ, ଖଜୁରୀ ଆଦି କେତେ ରକମର ଫଳ ଆଉ ପନିପରିବା ଏଇ ଗଛରେ ହିଁ ଫଳୁଛି । ଫଳ, ପନିପରିବା ମଣିଷକୁ ସୁସ୍ଥ ଓ ନିରୋଗ ରଖୁଛି । ତୁ ତ ଏବେ ପିଲା ଅଛୁ-। ବଡ଼ ହେଇ ଅଧିକ ପାଠ ପଢ଼ିଲେ ଜାଣିବୁ, କେତେକ ଗଛର ଚେର, ଡାଳ, ପତ୍ରରୁ ଔଷଧ ବି ତିଆରି ହେଉଛି ।”

 

ମଙ୍ଗୁଳୁ କହିଲା–“ସତେ ନା କ’ଣ ? ଗଛ ଆମର ଆଉ କ’ଣ ଉପକାର କରୁଛି ମାଉସୀ-?”

 

ବୁଢ଼ୀ ମଙ୍ଗୁଳୁର ମୁଣ୍ଡ ଆଉଁସି ଦେଇ କହିଲା–“ଗଛ ଯୋଗୁଁ ଏ ସଂସାର ତିଷ୍ଠିଛି ! ମଣିଷ, ପଶୁପକ୍ଷୀ ସାରା ପ୍ରାଣୀଜଗତ ବଞ୍ଚୁଛନ୍ତି ।”

 

ମଙ୍ଗୁଳୁକୁ ବୁଢ଼ୀ କଥା କେମିତି ଅଡ଼ୁଆ ଲାଗିଲା । ହସି ଦେଇ କହିଲା–“ଧେତ୍‌, ଗଛକୁ ତ ଆମେ ପାଣିଦେଇ ବଞ୍ଚଉଚୁ ! ସିଏ ପୁଣି ଆମକୁ ବଞ୍ଚେଇବ !”

 

ବୁଢ଼ୀ କହିଲା–“ପୁଅ ତୁମେ ମଣିଷମାନେ ଯେମିତି ନିଶ୍ଵାସ ପ୍ରଶ୍ଵାସ ଛାଡ଼ୁଚ, ନଉଚ, ଗଛ ବି ସେମିତି ନିଏ ଆଉ ଛାଡ଼େ । ହେଲେ ଗଛ ନିଜେ ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସକୁ ଗ୍ରହଣ କରି, ତୁମମାନଙ୍କ ପାଇଁ ଅମ୍ଳଜାନ ଗ୍ୟାସ ଛାଡ଼ିଥାଏ । ଅମ୍ଳଜାନ ଅଭାବରେ ପ୍ରାଣୀଜଗତ ଜୀଇଁବା ଅସମ୍ଭବ । ତେଣୁ ଗଛ ନଥିଲେ ଏହି ଅଙ୍ଗାରକାମ୍ଳ ଗ୍ୟାସକୁ ଗ୍ରହଣ କରିବ କିଏ ? ଆଉ ତୁମ ପାଇଁ ଅମ୍ଳଜାନ ଦେବ କିଏ ?”

 

ମଙ୍ଗୁଳୁ ମନକୁ ବୁଢ଼ୀ କଥାଟା ପାଇଲା I ବୁଢ଼ୀ ପୁଣି କହିଲା–“ଆହୁରି ଜାଣିଛୁ, ବଡ଼ ବଡ଼ ଗଛ ଦେହରେ କୋହଲା ପବନ ଧକ୍କା ଖାଇଲେ ବରଷା ବି ହୁଏ । ହେଲେ ମଣିଷ ତ ଗଛ ପରେ ଗଛ କାଟି ଚାଲିଛି l ବରଷା ନହେଲେ, ମଣିଷ, ପଶୁ, ପକ୍ଷୀ ପିଇବେ କ’ଣ ? ପାଣି ବିନା ମାଛ ସବୁ ମରି ଶୋଇବେ । ଗଛ ଲତା ବି ଝାଉଁଳି ପଡ଼ିବ । ଏବେ ବୁଝିଲୁ ତ ଏଇ ଗଛ ଆମର କେତେ ଉପକାରୀ ! ତେଣୁ ପ୍ରକୃତିର ସୌନ୍ଦର୍ଯ୍ୟ ରକ୍ଷା କରିବା ତୁମର କର୍ତ୍ତବ୍ୟ ।”

 

ମଙ୍ଗୁଳୁ କହିଲା–“ମାନୁଛି ଯେ ! ହେଲେ କାଠ ବି ଆମର ଦରକାର । ଗଛ ନ କାଟିଲେ କାଠ ଆସିବ କୋଉଁଠୁ ?”

 

ବୁଢ଼ୀ କହିଲା–‘‘କିଏ କହିଲା ତୁମେ ଗଛ ଜମାରୁ କାଟିବନି ବୋଲି ! ହେଲେ ଯେତିକି ଲୋଡ଼ା ସେତିକି ! କାଠ ଦରକାର ନାଁରେ ଜଙ୍ଗଲ ପଦା କରିଦେବ ନା କ’ଣ ? ହଁ ଯେତିକି କାଟିବ ତା’ ବଦଳରେ ସେତିକି ଗଛ ଲଗାଇବା ବି ଲୋଡ଼ା !”

 

ମଙ୍ଗୁଳୁ ଓଠରେ ହସ ଫୁଟି ଉଠିଲା । କହିଲା—“ଆମର ଭୁଲ୍‌ ହେଇଛି । ତୁମ କଥା ମୋର ମନେ ରହିଲା । ଗଛର ଉପକାରିତା ବିଷୟରେ ମୁଁ ସମସ୍ତଙ୍କୁ ବୁଝେଇବି । ଆଉ ନିଜେ ବି ଗଛ ଲଗେଇବି ।”

 

ବୁଢ଼ୀ କହିଲା—“ସୁନା ପୁଅ ! ସେତିକି କରି ପାରିଲେ ତୁମେ ଏଇ ଅଭାଗିନୀ ମାଆଟାକୁ ଶାନ୍ତିରେ ରଖିପାରିବ ।”

 

ମଙ୍ଗୁଳୁ ବୁଢ଼ୀର କାନିକୁ ଟାଣି ଧରି କହିଲା–“ତୁମେ କାହାର ମାଆ ? କାହାନ୍ତି ତୁମ ପିଲା ?”

 

ବୁଢ଼ୀ ହସିଦେଇ କହିଲା–“ଏଇ ଗଛ-ଲତା, ନଦୀ-ନାଳ, ମଣିଷ, ପଶୁ-ପକ୍ଷୀ, କୀଟ-ପତଙ୍ଗ ସମସ୍ତେ ମୋର ପିଲା ।”

 

ମଙ୍ଗୁଳୁ ଆଶ୍ଚର୍ଯ୍ୟ ହୋଇ କହିଲା–“ଦାଦି କହନ୍ତି, ଏ ସବୁର ମାଆ ହଉଚି ଧରଣୀ ମାତା-! ତା’ହେଲେ ତୁମେ କ’ଣ ସେଇ ଧରଣୀମାତା ?”

 

ବୁଢ଼ୀ ମୁଣ୍ଡ ଟୁଙ୍ଗାରି କହିଲା–“ହଁ ରେ ପୁଅ, ମୁଁ ସେଇ ଧରଣୀ ମାତା ! ତୁମ ସମସ୍ତଙ୍କର ମାଆ ।”

 

ମଙ୍ଗୁଳୁ ବୁଢ଼ୀର ପାଦତଳେ ପ୍ରଣାମ କଲା । ଧରଣୀମାତା କହିଥିବା କଥାକୁ ଭାବି ଭାବି ଘରକୁ ଆଗେଇ ଚାଲିଲା ।

☆☆☆

 

ମଣିଷ ପଣିଆ

 

ଦୀନା ସାହୁ ମିଠା ଦୋକାନୀଟା ଭାରି କଞ୍ଜୁସ୍‌ । କାହାକୁ ପାଞ୍ଚ ପଇସାର ସାହାଯ୍ୟ କରିବା ଦୂରେଥାଉ, ଗରିବ ଭିକାରୀଟିଏକୁ ବି ଚାଉଳ ମୁଠେ ଦିଏନି । ମୁନା ଦୀନା ସାହୁ ଦୋକାନରେ କାମ କରେ । ଗରାଖଙ୍କୁ ମିଠା ଯୋଗାଇ ଦିଏ । ଦିନା ସାହୁ ତା’ ଥନ୍ତଲ ପେଟକୁ କାଢ଼ି ଚଉକିରେ ବସି ପଇସା ହିସାବ କରେ ।

 

ଦଶହରା ଘଡ଼ି । ସହର ବଜାର, ଗାଁ ଗହଳିରୁ ଲୋକ ଆସୁଛନ୍ତି ମେଢ଼ ଦେଖିବା ପାଇଁ-। ତେଣୁ ଦୀନା ସାହୁ ଦେକାନରେ ଭାରି ଭିଡ଼ ।

 

ସେ ଦିନ ଥାଏ ଦୁର୍ଗା ଦଶମୀ । ହଁ, ମୁନାକୁ ଛାଡ଼ି ସେ ଦୋକାନରେ ଆଉ ଜଣେ ଲୋକ ବି କାମ କରେ । ତା’ ନାଁ ଗୋପାଳ । ଗୋପାଳ ତା’ ଭାରିଜା ଦେହ ଖରାପ ହୋଇଥିବା ଖବର ପାଇ ଗାଁକୁ ଯାଇଥାଏ । ଉପରଓଳି ଦୋକାନରେ ଗରାଖଙ୍କର ଭିଡ଼ ବେଶୀ । ମୁନା ଏକୁଟିଆ ଧନ୍ଦି ହେଇ ପଡ଼ିଲାଣି, ଗରାଖଙ୍କୁ ଖାଇବାକୁ ଦେଇ, ବାସନ ମାଜି । ଏଇ ସମୟରେ ଗୋଟିଏ ଘଟଣା ଘଟିଲା । ଦଶ ବାର ବର୍ଷର ପିଲାଟିଏ ଆସି ଦୀନା ସାହୁ ପାଖରେ ଠିଆ ହେଲା । ଦେହରେ ଚିରା ଜାମା ଆଉ ଚିରା ପ୍ୟାଣ୍ଟ । ଆଖି ଛଳ ଛଳ କରି କହିଲା–“ବାବୁ ! ଦି’ ଦିନ ହେଲା ଜର, କିଛି ଖାଇନି । କ’ଣ ଟିକେ ଖାଇବାକୁ ଦିଅନ୍ତୁ । ଭାରି ଭୋକ ଲାଗୁଛି ।” ପିଲାଟି ମିଠାଥାକ ଆଡ଼କୁ ଡ଼ହଳ ବିକଳ ହୋଇ ଅନେଇଥାଏ । ଦୀନା ସାହୁ କହିଲା “ହଇରେ ସିଆଡ଼େ କ’ଣ ଚାହିଁଛୁ ? ତୋର ତ ଭାରି ସାହସ ! ଏଠି ମିଠେଇ ବଣ୍ଟା ହୁଏନି । ବିକ୍ରି ହୁଏ ! ଦେ ପଇସା ବାହାର କର । ମିଠା ନବୁ ! ନ’ହେଲେ ଯା’ ପଳା ଏଠୁ ।”

 

ପିଲାଟି କହିଲା–“ପଇସା କାହୁଁ ପାଇବି ବାବୁ !!” ଦୀନା ସାହୁ ପିଲାଟିକୁ ନାଲି ଆଖି ଦେଖେଇ କହିଲା–“ପଇସା ନାହିଁ ତ ଯା’ ପଳା । ଯା ଯା ମୋ ବେଉସା ମାରା କରିବୁ ।” ପିଲାଟି ଦୋକାନୀକୁ ନେହୁରା ହେଲା । ଦୀନା ସାହୁ ତ ଭାରି ଚାଲାକ । କହିଲା–“ଏ ପିଲା ! ତୋ ନାଁ କ’ଣ-?” ପିଲାଟି ଥରି ଥରି କହିଲା–“ମୋ ନାଁ ହରିଆ ।” ପାନଖିଆ ନାଲି ଦାନ୍ତ ଦିଧାଡ଼ି ନେଫେଡ଼ାଇ ଦୀନା ସାହୁ ପଚାରିଲା, “ବାସନ ମାଜି ପାରିବୁ ? ତା’ହେଲେ ପଇସା ଦେବି । ଖାଇବାକୁ ଦେବି-।” ଖାଇବାକୁ ମିଳିବ ଭାବି ହରିଆ ଯାଇ ବାସନତକ ମାଜି ବସିଲା ।

 

ରାତି ହେଲା । ଗରାଖଙ୍କ ଭିଡ଼ କମିଗଲା । ହରିଆ ହାତଗୋଡ଼ ଧୋଇ ଆସି ଠିଆ ହେଲା ଦୋକାନୀ କତିରେ । ଦୀନା ସାହୁ ହରିଆ ହାତକୁ ଦି ଟଙ୍କିଆ ନୋଟ୍‌ଟିଏ ବଢ଼େଇ ଦେଇ କହିଲା–“ଯା” ! ହରିଆ ମୁହଁ ଶୁଖେଇ କହିଲା–“ବାବୁ ! ଏତେ ବାସନ ମାଜିଲି, ମାତ୍ର ଦୁଇଟଙ୍କା ଦେଲ । ହଉ ଯାହା ଆପଣଙ୍କର ଇଚ୍ଛା । ହେଲେ ମତେ ଏଇ ମିଠାରୁ ଗୋଟିଏ ଦିଅ । ହରିଆ ପାଟିରୁ କଥା ସରିନି । ଦୋକାନୀ ରାଗିଯାଇ କହିଲା–“ଦେ ମୋ ପଇସା ଫେରା । ମିଠା ଗୋଟେ ନେ । ନହେଲେ ଯା !” ଏତକ କହି ଧକ୍କାଟାଏ ମାରିବାରୁ ହରିଆ ତଳେ ପଡ଼ିଗଲା ।

 

ମୁନା ସବୁ କଥା ଦେଖୁଥାଏ । ହେଲେ ଭୟରେ ତା ପାଟିରୁ କଥା ବାହାରୁ ନଥାଏ । ହରିଆ କାନ୍ଦି କାନ୍ଦି ଦୋକାନରୁ ବାହାରିଗଲା । ପରେ ପରେ ଦୋକାନୀ ଦୋକାନ ବନ୍ଦ କରି ଚାଲିଗଲା । ମୁନା ବି ତା ଘରକୁ ଚାଲିଲା । କିଛି ବାଟ ଯାଇ ମୁନା ଦେଖିଲା, ଗୋଟିଏ ଦୋକାନ ଘରକୁ ଆଉଜି ହରିଆ ବସିଛି । ପାଖକୁ ଯାଇ ଦେଖେ ତ ଦେହରେ ଜର । ହାତରେ ଦୁଇଟଙ୍କିଆ ନୋଟ୍‌ଟି ସେମିତି ଧରିଛି । ମୁନା ବୁଝି ପାରିଲା ଯେ ସେ କିଛି ଖାଇନି । ହରିଆକୁ ଆଉଁସି ଦେଇ ପଚାରିଲା–“ତୁମେ ଘରକୁ ଯାଇନ ଯେ ! ଚାଲ ମୁଁ ତୁମକୁ ତୁମ ଘରେ ଛାଡ଼ି ଦେଇ ଆସିବି ।”

 

ଦୁଃଖରେ ହରିଆର ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । କହିଲା–“ମୋର ଘର ଦ୍ଵାର ନାହିଁ । ଏ ଦୁନିଆରେ ମୋର କେହି ସାହା ଭରସା ନାହିଁ । ଏଠି ସେଠି ଯୋଉଠି ଯାହା ପାଏ ମାଗି ଖାଏ ।” ଯୋଉଠି ପାରେ ଶୋଇପଡ଼େ ।

 

ହରିଆର କଥା ଶୁଣି ମୁନାର ଦୟା ଆସିଲା । ଗରିବ ହିଁ ଗରିବର ଦୁଃଖ ବୁଝିପାରେ । ମୁନା ତାକୁ ସାଥିରେ ଧରି ତା’ ନିଜ ଘରକୁ ନେଇଗଲା । ମା’କୁ ସବୁ କଥା ବୁଝେଇ କହିଲା । ତା’ ପାଇଁ ଥ‌ିବା ଖାଇବା ଜିନିଷରୁ ଅଧେ ହରିଆକୁ ଦେଲା । ରାତି ସାରା ତା’ ପାଖରେ ଜଗି ବସିଲା ।

 

ସକାଳ ହେଲା । ହରିଆର ଜର ଟିକେ କମି ଯାଇଥାଏ । ମୁନାର ମା’ କହିଲେ, “ତୋ’ ପରି ଆମେ ବି ଭାରି ଗରିବ ପୁଅ । ହେଲେ କାହାଠାରୁ ଭିକମାଗି ଚଳୁନା । ମୁଁ ଦିନସାରା ଘରେ ବସି ଠୁଙ୍ଗା ତିଆରି କରେ । ଦୋକାନ ଦୋକାନ ବୁଲି ଦେଇ ଆସେ । ଆଉ ମୁନା ଦେକାନରେ କାମ କରି ଯାହା ଆଣେ, ମା’ ପୁଅ ଦୁହେଁ ଦୁଃଖେ କଷ୍ଟେ ଚଳିଯାଉ । ଭଗବାନ ଆମକୁ ହାତଗୋଡ଼ ଦେଇଛନ୍ତି । ଆମେ ଖଟିବା, ଖାଇବା ।” ମୁନା କହିଲା–“ହଉ, ତୁ ବ୍ୟସ୍ତ ହଅନି । ମୁଁ ତତେ ଗୋଟିଏ ଦୋକାନରେ ରଖିଦେବି । କାମ କରିବୁ, ପଇସା ପାଇବୁ ।”

 

କିଛି ଦିନ ଗଲା । ଦିନକର ଦି’ପହର ସମୟ । ଦୀନା ସାହୁ ଏକା ବସି ହିସାବ କରୁଥାଏ-। ନୋଟ ପରେ ନୋଟ୍‌ ଗଣୁଥାଏ । ମୁନାକୁ କୌଣସି କାମରେ ପଠେଇ ଦେଇଥାଏ-। ଏହି ସମୟରେ ଗୋଟିଏ ଯୁବକ ଦୀନା ସାହୁ ଦୋକାନକୁ ଉଠିଲା । ତା ଥନ୍ତଲ ପେଟରେ ଛୁରୀ ଲଗେଇ ଦେଇ କହିଲା–“ଯାହା ପଇସା ରଖିଛୁ ଚୁପ୍‌ଚାପ୍‌ ଦେଇଦେ । ନ ହେଲେ ଦେଖୁଛୁ ଏ ଛୁରୀକୁ ?

 

ଦୀନା ସାହୁ ଡ଼ରରେ ଥର ଥର ହୋଇ ପଇସା ମୁଣିକୁ ଯୁବକ ହାତକୁ ବଢ଼ଉ ବଢ଼ଉ, ତା’ ଚେତା ବୁଡ଼ିଗଲା । ପାଖ ଦୋକାନରୁ ହରିଆ ସବୁ କଥା ଦେଖୁଥାଏ । କେହି ସାହସ କରି ଯୁବକକୁ ଅଟକେଇବାକୁ ଆସିଲେ ନାହିଁ । ହରିଆ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ଯୁବକ ଜଣକ ଗାଡ଼ିରେ ବସି ପଳେଇ ଯିବା ପାଇଁ ବାହାରିଲା ବେଳକୁ, ହରିଆ ତାକୁ’ ଲକ୍ଷ୍ୟ କରି ଗୋଟିଏ ବଡ଼ ଢେଲା ଛାଡ଼ିଦେଲା । ଢେଲା ଆଘାତରେ ଯୁବକର ମୁଣ୍ଡ ଘୁରିଗଲା । ତା’ ହାତରୁ ବ୍ୟାଗ ଖସି ପଡ଼ିଲା । ଗାଡ଼ି ସହ ସିଏ ଓଲଟି ପଡ଼ିଲା । ହରିଆ ଧାଇଁ ଯାଇ ପଇସା ମୁଣିକୁ ଧରି ଦୀନା ସାହୁ ପାଖରେ ହାଜର ହେଲା । ଆଉ ଲୋକମାନେ ଆସି ଚୋର ଯୁବକକୁ ମାଡ଼ି ବସିଲେ । ତାକୁ ଧରିନେଇ ଥାନାରେ ଦେଲେ । ଏଣେ ମୁନା ଆଉ ହରିଆ ଦୁହେଁ ମିଶି ଗୋଟିଏ ରିକ୍ସାରେ ଦୀନା ସାହୁକୁ ବସେଇ ତା’ ଘରକୁ ନେଇଗଲେ । ଦୀନା ସାହୁର ହୋସ୍‌ ଆସିଲା ପରେ ଲୋକଙ୍କ ଠାରୁ ସବୁ କଥା ଶୁଣିଲା । ମୁନା କହିଲା–“ବାବୁ ! ଏଇ ହରିଆ ହଉଚି ସେଇ ପିଲା, ଯିଏ ଦଶହରା ଦିନ ରାତିରେ ଗୋଟେ ମିଠା ମାଗିବାରୁ ଆପଣଙ୍କ ଠାରୁ ମାଡ଼ ଖାଇଥିଲା ।”

 

ଦୀନା ସାହୁ ଲାଜରେ ମୁହଁ ତଳକୁ କରିଦେଲା । ନିଜକୁ ବହୁତ ଧିକ୍କାର କଲା । ଏଣିକି ସେ ସଭିଙ୍କୁ ଭଲ ବ୍ୟବହାର କଲା । ଦୁଃଖୀ ରଙ୍କିକୁ ସାହାଯ୍ୟ କଲା । ହରିଆକୁ ଆଣି ନିଜ ଦୋକାନରେ ରଖିଲା । ମୁନା ଆଉ ହରିଆ ଦୁହେଁ ସାଥୀ ହୋଇ ରହିଲେ । ସେଦିନ ସେ ପ୍ରକୃତ ମଣିଷ ପଣିଆ କ’ଣ ବୁଝିପାରିଲା ।

☆☆☆

 

ଲୋଭୀ ମହୁଲୀ

 

ଶିବରାମ ବୋଲି ଜଣେ କୃଷକ ଥାଏ । ଭାରି ପରିଶ୍ରମୀ । ସରଳ ଆଉ ନୀରିହ ମଣିଷ ଟିଏ । ଜମି ଚାଷକରି ଫସଲରୁ ଯୋଉ ଦି ପଇସା ମିଳେ, ସେଥ‌ିରେ ଗୁଜୁରାଣ ମେଣ୍ଟାଏ । ସବୁବେଳେ ସନ୍ତୁଷ୍ଟ ରହେ । ଶିବରାମର ଗୋଟିଏ ଗାଈ ଥାଏ । ନାଁ ତା’ର ମହୁଲୀ ! ଯେମିତି ଫୁଲେଈ, ସେମିତି ଓଲେଈ । ଲୋଭୀ ପଣରେ ତା ସାଙ୍ଗରେ କେହି ସରି ହେବେ ନାହିଁ ! ଶିବ ରାମ ମହୁଲୀର ଯତ୍ନକରେ । ଖାଇବା ପିଇବାରେ ଉଣା କରେ ନାହିଁ । ନିଜେ ଘାସ, ନଡ଼ା କାଟି ମହୁଲୀକୁ ଖୁଆଏ । ହେଲେ ଲୋଭୀ ମହୁଲୀ ନିଇତି ୟା’ ତା ବାଡ଼ିରେ ପଶି ଫସଲ ଖାଏ । ଲୋକମାନେ ମହୁଲୀ ନାଁରେ ଶିବରାମ ପାଖରେ ନାଲିଶ କରନ୍ତି । ବିଚରା ଶିବରାମ ମାଆଲୋ, ଧନଲୋ କହି ଲୋକଙ୍କୁ ବୁଝାଇ ଫେରାଏ । ବେଳେବେଳେ କାନମୁଣ୍ଡ ଆଉଁଷି ନିଜ ଫସଲରୁ କିଛି କିଛି ଦେଇ ଲୋକଙ୍କ ପାଟି ବନ୍ଦ କରାଏ I କୁନି ପିଲାଙ୍କୁ ବୁଝାଇଲା ପରି ମହୁଲୀର ପିଠି ମୁଣ୍ଡ ଆଉଁଷି ଦେଇ କହେ, “ଛି ! ଲୋଭ କରିବା, ଅନ୍ୟର କ୍ଷତି କରିବା ମହାପାପ ! ସୁନାଟା ପରା, ଆଉ କାହା ବାଡ଼ିରେ ପଶିବୁନି !” ହେଲେ ମହୁଲୀର ସବୁକଥା ଏ କାନରେ ପଶି ସେ କାନରେ ବାହାରିଯାଏ ।

 

ଦିନେ ସେହି ଗାଁର ରାଧୁ ସାହୁ ଝିଅର ବାହାଘର ହେଲା । ରାଧୁ ସାହୁ ଘରେ ଧନର ଅଭାବ ନଥାଏ । ଗାଁ ଗୋଟାକର ଲୋକଙ୍କୁ ଖାଇବାକୁ ନିମନ୍ତ୍ରଣ କରିଥାଏ । ଖିରି, ପୁରି, ପଲଉ, ତିଅଣ ବାସନାରେ ଗାଁଟା ମହକି ଉଠୁଥାଏ । ସଞ୍ଜ ଘଡ଼ି । ଗୁହାଳ ଘରେ ମହୁଲୀ ବନ୍ଧା ହୋଇଥାଏ-। ରନ୍ଧା ଜିନିଷର ବାସନାରେ ତା ପାଟିରୁ ଲାଳ ଗଡ଼ିପଡୁଥାଏ । ରାତି ଘଡ଼ିଏ ସୁଦ୍ଧା ସବୁ ଲୋକ ଭୋଜିଖାଇ ଯେଝା ଘରକୁ ଗଲେ । ମହୁଲୀ ଦେଖିଲା ଯିଏ ଯୁଆଡ଼େ ଶୋଇ ଗଲେଣି-। ଚାରିଆଡ଼େ ଶୁନ୍‌ଶାନ୍‌ । ମହୁଲୀ ଆଉ ଲୋଭ ସମ୍ଭାଳି ପାରିଲା ନାହିଁ । ପଘା ଛିଣ୍ଡେଇ ଧାଇଁଲା ରାଧୁ ସାହୁ ଖଳାକୁ । ଶହ ଶହ ଖଲି ପତର ପଡ଼ିଛି ସେଠି । କୋଉଥିରେ ମେଞ୍ଚେ ପଲଉ ଲାଗିଛି ତ, କୋଉ ପତରରେ ଖିରୀ... ତରକାରି, ମହୁଲୀର ଆନନ୍ଦ ଦେଖେ କିଏ ? କେତେ ଦିନ ହେଲାଣି ବାହାଘରିଆ ଖାଇବା ମିଳି ନଥିଲା । ମହୁଲୀ ଗୋଟିଏ ପରେ ଗୋଟିଏ ଅଇଁଠା ପତର ଚୋବେଇବାରେ ଲାଗିଗଲା । “ଆଃ ପଲଉଟା କେଡ଼େ ସୁଆଦ ଲାଗୁଚି ! କ୍ଷୀରି ତ ଅମୃତ ଠାରୁ ବଳି ପଡ଼ିଛି ।” ମହୁଲୀ ଭାବିଲା, “ସକାଳ ହେଲେ ଆଉ ଗାଈ, କୁକୁରମାନେ ଖାଇବା ପାଇଁ ଆସି ରୁଣ୍ଡ ହେବେ । ତା ଭାଗରୁ ଅଇଁଠା ପତର କମିଯିବ । ନାଁ, ଏଡ଼େ ବଢ଼ିଆ ଖାଇବା ଚିଜ ସେ ଆଉ କାହାକୁ ଛୁଆଇଁ ଦେବନି ।”

 

ସକାଳ ହେଲା । ଶିବରାମ ଗୁହାଳ ସଫା କରିବାକୁ ଯାଇ ଦେଖେ ତ ଗୁହାଳରେ ମହୁଲୀ ନାହିଁ । ଖୁଣ୍ଟ ଓପଡ଼ା ହୋଇ ପଡ଼ିଛି । ଶିବରାମ ତ ମହୁଲୀର ଲୋଭ କଥା ଜାଣେ । ସେ ଆଉ କାଳ ବିଳମ୍ବ ନ କରି ଦଉଡ଼ିଲା ରାଧୁ ସାହୁର ଖଳାକୁ । ଶିବରାମ ଦେଖିଲା ଖଳା ମଝିରେ ମହୁଲୀ ହାଲିଆ ହୋଇ ପଡ଼ିଛି । ପେଟଟା ଘୁମ ପରି ଫୁଲିଯାଇଛି । ମହୁଲୀର ଶ୍ଵାସରୁଦ୍ଧ ହୋଇ ଛାତି ପଡୁଛି ଆଉ ଉଠୁଛି । ଏକଥା ଦେଖି ଶିବରାମର ମନରେ ଛନକା ପଶିଲା । ସେ ବଡ଼ ପାଟିରେ ରାଧୁ ସାହୁ, ହରିଆ, ମନୁଆକୁ ଡାକ ପକେଇଲା । ଶିବରାମର ପାଟି ଶୁଣି ସମସ୍ତେ ଖଳାକୁ ଧାଇଁ ଆସିଲେ । ମହୁଲୀର ଗୋଡ଼ ବାନ୍ଧି ତାକୁ କାନ୍ଧରେ ଝୁଲେଇ ପଶୁ ଡାକ୍ତରଙ୍କ ପାଖକୁ ନେଇଗଲେ ।

 

ଡାକ୍ତର ବାବୁ କହିଲେ–“ମହୁଲୀ ଲୋଭ କରି ଅଧିକ ଖାଇଦେବାରୁ ତାର ହଜମ ହୋଇନାହିଁ । ପେଟ ଫାମ୍ପି ମାଠିଆ ପରି ହୋଇଯାଇଛି, ନିଶ୍ଵାସ, ପ୍ରଶ୍ଵାସ ନେବାରେ ଓ ଛାଡ଼ିବାରେ କଷ୍ଟ ହେଉଛି ! ଭଲ କଲ, ମୋ ପାଖକୁ ନେଇଆସିଲା ଆଉ ଡ଼େରି କରିଥିଲେ ହୁଏତ ସେ ବଞ୍ଚି ନଥାନ୍ତା ।” ଡାକ୍ତରବାବୁ ଏତିକି କହି ବଡ଼ ଇଞ୍ଜେକ୍‌ସନ୍‌ ଛୁଞ୍ଚିଟାଏ କାଢ଼ି ମହୁଲୀର ପେଟରେ ଫୁଟାଇ ଦେଇ ସିରିଞ୍ଜର ପଛ ଭାଗ କାଢ଼ି ଦେଲେ । ଫସ୍‌... କରି ଶବ୍ଦଟାଏ ହେଲା । ଆଉ ଜମିଥିବା ବାୟୁ ବାହାରି ଯିବାରୁ ବେଲୁନ୍‌ପରି ଫୁଲିଯାଇଥିବା ପେଟଟିର ଫୁଲା କମିଗଲା । ହଜମ ପାଇଁ ଔଷଧ ଖୁଆଇ ଦେଇ ଡାକ୍ତର ବାବୁ କହିଲେ–“ଏବେ ୟାକୁ ଗୋଟିଏ ଦିନ ଖାଇବାକୁ ନ ଦେବା ଭଲ । ହଁ, ପାଣି ପିଆଇବା ବନ୍ଦ କରିବ ନାହିଁ ।”

 

ହମ୍ମା... ମା... ! ଦୁଇଦିନ ପରେ ମହୁଲୀ ସୁସ୍ଥ ହୋଇ ଛିଡ଼ା ହେଲା । ଡାକ୍ତରଙ୍କ ଇଞ୍ଜେକ୍‌ସନ୍‌ ଛୁଞ୍ଚିକୁ ଡରି, ସେହିଦିନୁ ଆଉ କୋଉଠି କିଛି ଲୋଭ କରି ଖାଇଲା ନାହିଁ ।

 

ପିଲେ ! କି ପଶୁ-ପକ୍ଷୀ, କି ମଣିଷ, କେହି ଲୋଭ କରିବା ଉଚିତ୍‌ ନୁହେଁ ! କଥାରେ ପରା ଅଛି–“ଲୋଭରୁ ମୃତ୍ୟୁ ।”

☆☆☆

 

ସାହାସୀ ବବି ଦୁଷ୍ଟ କାଲୁରାମ

 

କାଲୁରାମଟା ନିହାତି ବଦମାସ୍‌ । ଯାହାକୁ କହନ୍ତି ପାଜିଟାଏ । କୁନି କୁନି ପିଲାଙ୍କୁ ରାସ୍ତାରୁ ଉଠେଇ ନେଇ ସେମାନଙ୍କୁ ଭିକ ମାଗିବାକୁ କହେ । ଚୋରି କରିବା, ପକେଟ ମାରିବା ଶିଖାଏ । ମନା କଲେ ମାଡ଼ ଗାଳି ଦିଏ । ଭିକ ମାଗି, ଚୋରି କରି ସେମାନେ ଯେଉଁ ପଇସା ଆଣନ୍ତି, ସେଥ‌ିରେ ମଦ ମାଂସ ଖାଇ ମଉଜ କରେ । ସେଇ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଶୁଖିଲା ରୁଟି ଆଉ ପିନ୍ଧିବାକୁ ଚିରା ଜାମା-ପ୍ୟାଣ୍ଟ ଦିଏ । ହେଲେ କାଲୁରାମ କୋଉଠି ରହେ, ସେ କଥା କେହି ଜାଣନ୍ତି ନାହିଁ । ପୋଲିସ୍‌ ବି ତାକୁ ଧରିପାରେ ନାହିଁ ।

 

ଦିନକର ଘଟଣା । ବବି ବୋଲି ଛୋଟ ପିଲାଟିଏ, ପର ଘରେ କାମ କରେ । ସେଦିନ ବବି ମାଲିକଙ୍କ ଘରୁ କାମସାରି ଆସି ଟିକିଏ ଥକ୍କା ମାରିବା ପାଇଁ ସାହି ମଣ୍ଡପ ଉପରେ ଥ‌ିବା ନିମ୍ବଗଛ ତଳେ ବସିପଡ଼ିଛି । ଦେଖିଲା ମିଆଉଁ ମିଆଉଁ ହୋଇ କୁନି ବିଲେଇଟିଏ କାନ୍ଦୁଛି । ଆଖି ତାର ଦୁଇଧାର ଲୁହ ଝରି ପଡ଼ୁଛି । ବବି ମନରେ ଦୟା ଆସିଲା । ସେ ବିଲେଇଟିକୁ ଆଉଁସିଦେଇ କହିଲା–“କାଇଁକି କାନ୍ଦୁଛୁ ? କ’ଣ ହେଇଛି ?” ବିଲେଇ ଛୁଆଟି କାନ୍ଦି କାନ୍ଦି ତା ଦୁଃଖ କାହାଣୀ କହିଲା–“ମୋ ନାଁ ମିଲି ! ମୋ ମାଲିକ ମତେ ଭାରି ଭଲ ପାଆନ୍ତି । ହେଲେ ମାଲିକାଣୀ ମୋ ଉପରେ ଚିଡ଼ିଚିଡ଼ି ହୁଅନ୍ତି । ଆଜି ଭୁଲ୍‌ରେ ଜାଣି ନପାରି ମାଲିକଙ୍କ ଝିଅପାଇଁ ରହିଥ‌ିବା ଦୁଧ ପିଇ ଦେବାରୁ ମାଲିକାଣୀ ରାଗରେ ପିଟି ପିଟି ମତେ ଘରୁ ବାହାର କରିଦେଲେ ।” ବବି କହିଲା–“ବ୍ୟସ୍ତ ହଅନା, ଆଜିଠାରୁ ତୁ ମୋର ସାଙ୍ଗ ହେଲୁ ।”

 

ପାଣି ସୁଅପରି ଦିନ ପରେ ଦିନ ଗଡ଼ି ଚାଲିଲା । ୟା ଭିତରେ ବବି ଆଉ ବିଲେଇଛୁଆ ‘ମିଲି’ ସାଥିରେ ଟମି ନାମକ କୁକୁରଟିଏ ବି ସାଙ୍ଗ ହୋଇଯାଇଥାଏ । ତିନିଜଣ ଯାକ ଏକାଠି ରୁହନ୍ତି-। ସାଥି ହୋଇ ଖେଳନ୍ତି, ବୁଲନ୍ତି, ଏକାଠି ଶୋଇଯାଆନ୍ତି ।

 

ଆଉ ଦିନକର ଘଟଣା । ସେହିଦନ ଥାଏ ଜାନୁଆରୀ ପହିଲା । ନୂଆ ବର୍ଷ । ଘରେ ଘରେ ଆନନ୍ଦ ଉତ୍ସବ ଲାଗି ରହିଥାଏ । ବବି ମାଲିକଙ୍କ ଘରୁ ପାଇଟି ସାରି ମିଲି, ଟମିଙ୍କ ପାଖରେ ପହଞ୍ଚିଲା । ନୂଆବର୍ଷ ପାଇଁ ମାଲିକଙ୍କ ଘରୁ ମିଳିଥିବା ଖାଇବା ଚିଜତକ ଧରି ତିନିହେଁ ଖାଇ ବସିଲେ । ରାସ୍ତା ପାଖ ପାଇପ୍‌ରୁ ପାଣି ପିଇ ତିନିହେଁ ବାହାରିଲେ ବୁଲି । ଚାଲୁ ଚାଲୁ ସେମାନେ କେତେବେଳେ ସହର ଟପି ଗଲେଣି, ଖିଆଲ ନାହିଁ । ହଠାତ୍‌ ଆକାଶରେ କଳାହାଣ୍ଡିଆ ମେଘ ଖଣ୍ଡେ ଭାସିଆସିଲା । ଚାହୁଁ ଚାହୁଁ ଢୁ ଢୁ କରି ମେଘ ବରଷିବାକୁ ଲାଗିଲା । ତିନି ସାଙ୍ଗ ନିକଟରେ ଗୋଟିଏ ଘର ଦେଖି ଧାଇଁଲେ ସେଠିକୁ । କୋଉଦିନରୁ ଘରଟି ଅଳିଆ ହୋଇପଡ଼ିଛି । ଚାରିଆଡ଼େ ଅନ୍ଧାର । କୁଆ କୋଇଲିର ଶବଦ ଶୁଭୁନି ।

 

ହଠାତ୍‌ ସେଇ ଘର ଭିତରୁ କାହାର ବଡ଼ ପାଟି ଶୁଣି ବବି ସାହସ କରି ଘର ଭିତରକୁ ଚାହିଁଲା । ଦେଖିଲା, ଜଣେ କାଳିଆ ମୋଟା ଲୋକ ଚଉକି ଉପରେ ବସିଛି । ତା ପାଖରେ ଆଉ ଜଣେ ବଡ଼ ଲୋକ ଛିଡ଼ା ହୋଇଛି । ଦଶ ବାର ଜଣ ତା’ରି ପରି ଛୋଟ ଛୋଟ ପିଲା । ଦୁର୍ବଳ ସ୍ଵାସ୍ଥ୍ୟ, ଦେହରେ ଛିଣ୍ଡା ଜାମା–ପ୍ୟାଣ୍ଟ । ହାତରେ ଭିକ ମାଗିବା ଥାଳରୁ ଗୋଟିଏ ଲେଖାଁଏ । ସେଇ ପିଲାଙ୍କ ଭିତରୁ ଜଣେ ପିଲା କାନ୍ଦି କାନ୍ଦି କହୁଛି–“ମତେ ଭାରି ଜର । ଏ କୋହଲା ପାଗରେ, ସଞ୍ଜରେ ଆଉ ଭିକମାଗି ଯାଇପାରିବି ନାଇଁ ଓସ୍ତାଦ । ମତେ ଆଜି ଦିନକ ଲାଗି ଛାଡ଼ି ଦିଅ ।”

 

ମୋଟା ଲୋକଟାର ରାଗ ଦେଖେ କିଏ ! ଦେଲା ତା’ ଗାଲରେ କଷି ଏକ ବ୍ରହ୍ମ ଚାପୁଡ଼ା-। ବୋପାଲୋ କହି ପିଲାଟା ତଳେ ପଡ଼ିଗଲା । ଏ ଦୃଶ୍ୟ ଦେଖି ବବିର ମନ ସମ୍ଭାଳି ହେଲାନି-। ଦର ଆଉଜା କବାଟକୁ ଠେଲି ଘର ଭିତରକୁ ପଶିଗଲା ଆଉ କହିଲା–“ତୁମେ ଏଡ଼େ ନିର୍ଦ୍ଦୟ ? ଆଜି ନୂଆବର୍ଷ । ଆଜି ପରି ଦିନରେ ତାକୁ ଭିକ ମାଗିବାକୁ କହୁଚ ? ସେଥିରେ ପୁଣି ତାକୁ ଜର-।” ଲୋକଟାର ରାଗ ଆହୁରି ବଢ଼ିଗଲା । ବବିର ହାତକୁ ଟାଣିନେଇ ପିଠିରେ ଦୁଇଟା ମୂଷଳ ବିଧା କଷି ଦେଇ କହିଲା–“ଏତେ ଯଦି ଦୟା, ଯା ଆଜି ତା ପାଇଁ ତୁ ଭିକ ମାଗିବୁ !” ପୁଣି ଆଖି ବଡ଼ ବଡ଼ କରି କହିଲା–“ଏ ପିଲା ! ଜାଣିଚୁ, ମୋ ନାଁ କାଲୁରାମ ! ମୁଁ ଯୋଉ ପିଲାକୁ ଧରେ ତାକୁ ଆଉ ଛାଡ଼େ ନାହିଁ । କହ ଆଜିଠାରୁ ଏଇ ପିଲାଙ୍କ ସାଥିରେ ମିଶି ଭିକ ମାଗିବୁଟି ? ନ ହେଲେ ତୋ ମୁଣ୍ଡକୁ ଫଟେଇ ଦେବି ?”

 

ବବି ଉପରେ ମାଡ଼ ଦେଖି ଟମି ଭୋ ଭୋ ହୋଇ ଭୁକିବାକୁ ଲାଗିଲା । ମିଲି ବି ରାଗରେ ମ୍ୟାଉଁ ! ମ୍ୟାଉଁ ! ହୋଇ ବୋବେଇବାକୁ ଲାଗିଲା । ବବି କହିଲା–“ଟମି ! ମିଲି ! ଯାଅ ପଳାଅ ।” ଡରରେ ସେ ଦୁହେଁ ସେଠାରୁ ଧାଇଁ ପଳେଇଗଲେ ।

 

ମାଡ଼ ଡରରେ ବବି କାଲୁରାମର କଥାମାନି ଅନ୍ୟ ପିଲାଙ୍କ ସାଥିରେ ଭିକ ମାଗିବାକୁ ଗଲା । ଧୀରେ ଧୀରେ କାଲୁରାମ ସଂପର୍କରେ ସବୁ କଥା ଜାଣିପାରିଲା । କାଲୁରାମକୁ ପୋଲିସ୍‌ରେ ଧରେଇଦେଇ ପାରିଲେ, ଅନ୍ୟ ପିଲାମାନେ ସେଠାରୁ ମୁକୁଳି ପାରିବେ ବୋଲି ସେ ଚିନ୍ତା କଲା । ଦିନେ ବସି ଉପାୟଟିଏ ବାହାର କଲା । କାହାକୁ କିଛି ନ କହି ଚିଠିଟିଏ ଥାନାବାବୁଙ୍କ ପାଖକୁ ଲେଖି ଜାମା ପକେଟ୍‌ରେ ରଖିଲା ।

 

ସବୁଦିନ ପରି ତା’ ପରଦିନ ସକାଳେ, ଭିକ ମାଗିବା ପାଇଁ ସମସ୍ତେ ସହରକୁ ଚାଲିଗଲେ । ଦି’ପହର ସମୟ । ରାସ୍ତା ବେଶ୍‌ ଭିଡ଼ । ବବି ହଠାତ୍‌ ରାସ୍ତା ମଝିକୁ ଧାଇଁଗଲା । ଅନ୍ୟ ଦିଗରୁ ଆସୁଥ‌ିବା ଏକ ମଟର ଗାଡ଼ି ତା ଦେହରେ ଧକ୍କା ଲାଗିବାରୁ ସେ ଛିଟିକି ପଡ଼ିଲା ରାସ୍ତା କଡ଼କୁ । ମୁଣ୍ଡ ଫାଟି ଝରଝର ରକ୍ତ ବୋହିବାକୁ ଲାଗିଲା । ଗୋଡ଼ ହାତ ଖଣ୍ଡିଆ ଖାବରା । ରାସ୍ତା ଉପରେ ଚାହୁଁ ଚାହୁଁ ଲୋକେ ରୁଣ୍ଡ ହୋଇଗଲେ । ବବି ପାଖରେ ପୋଲିସ ବାବୁଙ୍କୁ ଦେଖି ପକେଟ୍‌ରୁ ଚିଠିଟି ବାହାର କଲା ! ହେଲେ ଚିଠିଟିକୁ ବଢ଼େଇ ଦେଉ ଦେଉ ବେହୋସ ହୋଇଗଲା-। ବବିକୁ ପୋଲିସ ଗାଡ଼ିରେ ପକାଇ ଡାକ୍ତରଖାନାକୁ ନେଇଗଲେ । ପୋଲିସ ଗାଡ଼ି ପଛରେ ଟମି ଆଉ ମିଲି ଧାଇଁଥାନ୍ତି । ଡାକ୍ତର ଖାନାରେ ଡାକ୍ତର ତା’ର ଅବସ୍ଥା ଦେଖି ମୁଣ୍ଡରେ ପଟି ବାନ୍ଧିଦେଲେ-! ଖଣ୍ଡିଆ ଜାଗାରେ ମଲମ ମାରିଦେଲେ, ଇଞ୍ଜେକ୍‌ସନ୍‌ ଦେଲେ ।

 

ବବିର ହୋସ୍‌ ଫେରିଲା । ପୋଲିସ୍‌ ବାବୁ ସେତେବେଳକୁ ବବିର ଚିଠି ପଢ଼ି ସବୁ କଥା ଜାଣି ଯାଇଥାନ୍ତି । ବବି କହିଲା–“ମୋର ଭୁଲ ହୋଇଛି ଥାନା ବାବୁ ! ମୁଁ ଜାଣି ଜାଣି ରାସ୍ତା ମଝିକୁ ଯାଇଥିଲି ! କାରଣ କାଲୁରାମ ଠାରୁ ଖସିବା ପାଇଁ ଆଉ କୌଣସି ଉପାୟ ନଥିଲା । ସିଏ ଆମ ଉପରେ ସବୁବେଳେ ନଜର ରଖୁଥିଲା । ମୁଁ ଯଦି ଆଜି ମରିଯାଇଥାନ୍ତି ତେବେ ଏଇ ଚିଠିଟି ପଢ଼ି ଆପଣ ସବୁକଥା ଜାଣିଥାନ୍ତେ । ଥାନାବାବୁ ! ଏବେ ଆପଣ ମୋ ସାଙ୍ଗମାନଙ୍କୁ ବଞ୍ଚାନ୍ତୁ ।”

 

କାଲୁରାମକୁ ଖୋଜିବା ପାଇଁ ଥାନାବାବୁ ତୁରନ୍ତ ବାହାରି ପଡ଼ିଲେ । ଟମି ପୋଲିସ୍‌ ଗାଡ଼ି ଆଗେ ଆଗେ ବାଟ ଶୁଘିଂ ଶୁଘିଂ ଯାଇ କାଲୁରାମ ଆଡ୍ଡାରେ ପହଞ୍ଚିଲା । କାଲୁରାମ ସବୁକଥା ଜାଣିପାରି ଖସି ପଳାଇବାକୁ ବସିଥାଏ । ଟମି ଖପ କରି କାଲୁରାମ ଗୋଡ଼କୁ ମାଡ଼ିବସିଲା । ଭୋ ଭୋ ହୋଇ ଭୁକିବାରୁ ପୋଲିସ୍‌ କାଲୁରାମ ଥ‌ିବା କଥା ଜାଣି ପାରିଲେ । କାଲୁରାମକୁ ଟାଙ୍କେ ଛେଚି ହାଜତକୁ ପଠାଇଦେଲେ । ସବୁ ପିଲାଙ୍କୁ ତାଙ୍କ ଠିକଣାରେ ବାପା ମାଆଙ୍କ ପାଖରେ ପହଞ୍ଚାଇ ଦେଲେ । କାଲୁରାମ ଧରାପଡ଼ିବା କଥା ଚାରିଆଡ଼େ ପ୍ରଚାର ହୋଇଗଲା । ବବିର ଫଟୋ, ନାଁ ଖବର କାଗଜରେ ବାହାରିଲା । ନିଜ ଜୀବନକୁ ଖାତିର ନକରି ଏତେ ପିଲାଙ୍କ ଜୀବନ ରକ୍ଷା କରିଥିବାରୁ, ସେମାନଙ୍କୁ କୁପଥରୁ ଫେରାଇଆଣି ପାରିଥିବାରୁ, ବବିକୁ ସରକାରଙ୍କ ଠାରୁ ପୁରସ୍କାର ମିଳିଲା ।

 

ଥାନାବାବୁ ଖୁସି ହୋଇ ବବିକୁ ତାଙ୍କ ଘରକୁ ନେଇଗଲେ ! କହିଲେ–‘‘ତୁ ଆଜିଠାରୁ ମୋ ଘରେ ମୋ ପୁଅ ହୋଇ ରହିବୁ । ପାଠ ପଢ଼ି ଦେଶର ସେବା କରି ନାଁ ରଖିବୁ । ଜଣେ ବଡ଼ ପୋଲିସ ଅଫିସର୍‌ ହେବୁ ! ଟମି ଚୋର ଧରିବା ପାଇଁ ଆଜିଠାରୁ ଥାନାରେ ରହିବ ! ଆଉ ଏଇ ଗେହ୍ଳୀ ବିଲେଇ ‘ମିଲି’ ଥାନାରେ ରହିବ, ମୂଷାଙ୍କୁ ମାରିବା ପାଇଁ ।”

 

ଥାନାବାବୁଙ୍କ କଥାରେ ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ । ଟମି ଓ ମିଲି ବି ମନ ଖୁସିରେ ଡେଇଁବାକୁ ଲାଗିଲେ ।

☆☆☆

 

କୁନାର ନିଦ ଭାଙ୍ଗିଲା

 

ସନ୍ଦୀପ ଘରେ ଚାକର ଥିବାରୁ ସେ କେମିତି ବାବୁ ଆଡ୍ଡାରେ ଚଳୁଛି । ହେଲେ କୁନା ତ ବାପାଙ୍କୁ କହି କହି ଥକି ଗଲାଣି । କୁନା ଭାବିଲା-ବାପା ଘରେ ଚାକର ବାକର ରଖିବାକୁ ଏକଦମ୍‌ ନାରାଜ । ସତରେ ନିଜ କାମ ନିଜେ କରିବା ଭାରି କଷ୍ଟ ।

 

ଦଶହରା ବୁଲି ଯାଇ ରାମୁ ଦୋକାନରେ ଖେଳନା କମ୍ପ୍ୟୁଟରକୁ ଦେଖିବା ବେଳଠୁଁ କୁନା ଆଖିକୁ ଆଉ ନିଦ ନାହିଁ । ବାପାଙ୍କୁ କହି ଏଥର ଏମିତି ଗୋଟେ କମ୍ପ୍ୟୁଟର କିଣି ଆଣିବ, ଯିଏ ତା’ର ସବୁ କାମ କରିଦେବ । କୁନାର ମନେପଡ଼ିଲା ବିଜ୍ଞାନ ଶିକ୍ଷକଙ୍କ କଥା । ରୋବର୍ଟ ନାମକ କମ୍ପ୍ୟୁଟର ସବୁକାମ ଅତି ସହଜରେ କରିପାରେ । ଜାପାନ୍‌, ଆମେରିକା, ଋଷିଆର ବଡ଼ ବଡ଼ ସହରରେ ଦୋକାନ ମାନଙ୍କରେ, ରେଳ ଷ୍ଟେସନରେ ଏହି ରୋବର୍ଟମାନଙ୍କୁ କାମରେ ଲଗାଯାଇଛି-। ସେତିକି ନୁହେଁ, ବହୁତ କଠିନ ଗଣିତ କଷିବାଠାରୁ ଆରମ୍ଭ କରି ବଡ଼ ବଡ଼ ମେସିନ୍‌ଚଳାଇବା କାମ ମଧ୍ୟ ସୁଇଚ୍‌ ଟିପିବା କ୍ଷଣି ରୋବର୍ଟ କରିପାରୁଛି । ସତରେ କେଡ଼େ ମଜା ହେବ କମ୍ପ୍ୟୁଟର ରୋବର୍ଟଟିଏ ଘରକୁ ଆଣିଲେ !

 

ଏମିତି ଭାବୁ ଭାବୁ କୁନାର କୁନି କୁନି ଆଖିକୁ କେତେବେଳେ ନିଦ ଆସିଯାଇଛି ଜାଣିପାରିନି । ନିଦରେ ଶୋଇ କୁନା ସ୍ଵପ୍ନଟିଏ ଦେଖିଲା । ତା’ର ଗୋଟିଏ ବଡ଼ ରୋର୍ବଟ କିଣାଯାଇଛି । କୁନାକୁ ଆଉ ଚିନ୍ତା କରି ମିଶାଣ, ଫେଡ଼ାଣ, ଗୁଣନ, ହରଣ କରି ଅଙ୍କ କଷିବାକୁ ପଡ଼ୁନାହିଁ । ସ୍କୁଲରୁ ଫେରି ଗଛରେ ପାଣି ଦେବାକୁ, କି ବଜାରରୁ ସଉଦା ଆଣିବାକୁ ପଡ଼ୁନାହିଁ । ଆଖି ପିଛୁଳାକେ ରୋବର୍ଟ କୁନାର ସବୁ କାମ କରିଦେଉଛି । କୁନାର ଖୁସି ଦେଖେ କିଏ ? ନିଜ ଖଟରେ ଶୋଇ ନିଜ ମନମୁତାବକ ରୋବର୍ଟକୁ ଗୋଟିଏ ପରେ ଗୋଟିଏ କାମ ବରାଦ କରୁଅଛି । ଆଉ ରୋବର୍ଟ ଆଜ୍ଞାଧୀନ ଭୃତ୍ୟ ପରି କୁନାର କଥାମାନି ସବୁ କାମ କରି ଥୋଇ ଦେଉଛି ।

 

ଏଇମିତି କେତେ ମାସ କଟିଗଲା । ଦିନକୁ ଦିନ କୁନା ବେଶୀ ବେଶୀ ଅଳସୁଆ ହେବାରେ ଲାଗିଲା । କିଛିଦିନ ପରେ ବାର୍ଷିକ ପରୀକ୍ଷା ଆସିଲା । କୁନାର ରୋବର୍ଟ ଅଛି, ଚିନ୍ତା କଣ ? ପରୀକ୍ଷାରେ ସବୁ ପ୍ରଶ୍ନର ଉତ୍ତର ରୋବର୍ଟ କରିଦେବ ଭାବି କୁନା ପଢ଼ାରେ ମନ ନଦେଇ ଆରାମରେ ଶୋଇ ଶୋଇ ଦିନ କାଟିଲା ।

 

ପରୀକ୍ଷା ଦିନ କୁନା ମନ ଖୁସିରେ ନିଜର ରୋବର୍ଟଟିକୁ ଧରି ପରୀକ୍ଷା ଦେବା ପାଇଁ ଚାଲିଗଲା । କୁନା ହାତରେ ରୋବର୍ଟ ଦେଖି ସ୍କୁଲଯାକର ପିଲା ତାକୁ ଘେରିଗଲେ । କୁନାର ଛାତି କୁଣ୍ଢେମୋଟ ହୋଇଉଠୁଥାଏ । ଟଣା ଓଟରା ଭିତରେ କୁନାର ରୋବର୍ଟ ବାରଣ୍ଡା ତଳକୁ ଖସି ପଡ଼ିଲା । ଏତିକିବେଳେ ପରୀକ୍ଷା ଘଣ୍ଟି ବାଜିବାରୁ ପିଲାମାନେ ଯେ ଯାହାର ଶ୍ରେଣୀ ଗୃହକୁ ଧାଇଁ ପଳାଇଲେ । କୁନା ରୋବର୍ଟକୁ ତଳୁ ଉଠାଇ ଚାଲିଲା ଶ୍ରେଣୀ ଗୃହକୁ । ତା’ ହାତରେ ରୋବର୍ଟଟିକୁ ଦେଖି ଶିକ୍ଷକ ବିରକ୍ତ ହୋଇ କହିଲେ–‘‘ତୁମେ ପରୀକ୍ଷା ଦେବାପାଇଁ ଆସିଛ ନା ଖେଳିବା ପାଇଁ ଆସିଛ ? ଦିଅ ସେଇଟା ମୋ ଆଡ଼କୁ ଦିଅ ? ପରୀକ୍ଷା ସରିଲେ ନେଇଯିବ ।” ସାରଙ୍କ କଥା ଶୁଣି କୁନା ମୁଣ୍ଡରେ ଚଡ଼କ ପଡ଼ିଲା । ଏବେ ସେ କଣ କରିବ ! କମ୍ପ୍ୟୁଟର ରୋବର୍ଟ ଉପରେ ଭରସା କରି ନିଜେ ତ ବହିର ପୃଷ୍ଠାଟିଏ ବି ଓଲଟାଇନି । ଏବେ ବା କଣ ଲେଖିବ ଖାତାରେ ? ଏମିତି ଭାବୁ ଭାବୁ ପରୀକ୍ଷା ସମୟ ଗଡ଼ିଗଲା । ପିଲାମନେ ନିଜ ନିଜର ଖାତା ଶିକ୍ଷକଙ୍କୁ ଦେଇ ଘରକୁ ଚାଲିଗଲେ ।

 

ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇଲା । ପରୀକ୍ଷା ଖାତରେ କିଛି ଲେଖି ନଥିବାରୁ କୁନା ଫେଲ୍‌ହେଲା । ପ୍ରଧାନ ଶିକ୍ଷକ କୁନାର ବାପାଙ୍କୁ ଡାକି ତାକୁ ଅନ୍ୟ ସ୍କୁଲକୁ ନେଇଯିବା ପାଇଁ କହିଲେ । ଏଣେ ସେଦିନ ଠେଲା ପେଲାରେ ତଳେ ପଡ଼ିଯାଇ ରୋବର୍ଟ ଖରାପ ହୋଇଯାଇଥାଏ । ଠିକ୍‌ ଭାବରେ କାମ କରିପାରୁ ନଥାଏ । କାମ ଡରରେ ଅଳସୁଆ କୁନାକୁ ବି ଜର ହୋଇଯାଇଥାଏ । ଗୋଡ଼ ହାତ ବିନ୍ଧାଛିଟିକା କରୁଥାଏ ।

 

ବାପା କୁନାକୁ ଡାକ୍ତରଙ୍କ ପାଖକୁ ନେଇଗଲେ । ଡାକ୍ତର କୁନାଠାରୁ ଗୋଟି ଗୋଟି କରି ସବୁ କଥା ପଚାରି ବୁଝିଲେ । କହିଲେ–“କୁନା ! ଆମର ଏହି ଶରୀର ଗୋଟିଏ ମେସିନ୍‌ ସଦୃଶ ! ମେସିନ୍‌ଟିକୁ ଘରେ ପକାଇ ରଖିଲେ ତାହା ଯେପରି ଅଚଳ ହୋଇଯାଏ, କୋଉ କାମରେ ଲାଗିପାରେ ନାହିଁ, ସେହିପରି ତୁମେ ଦୈନନ୍ଦିନ ଶାରୀରିକ ପରିଶ୍ରମ ନକଲେ, ତୁମ ଶରୀରର ବିଭିନ୍ନ ଅଂଗ-ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବ, ତୁମେ ରୋଗ ଭୋଗିବ ! କାମ ନ କରିବା ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ଭଲଭାବେ ହୁଏ ନାହିଁ । ଫଳରେ ମାଂସପେଶୀ ଗୁଡ଼ିକ ଟାଣ ହେବାରେ ଲାଗେ । ଗୋଡ଼ ହାତ ଠିକ୍‌ ଭାବରେ କାମ କରିପାରେ ନାହିଁ । ପୁଣି ଅଳସୁଆ ପଣ ଯୋଗୁଁ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୁଏ ନାହିଁ । ସବୁବେଳେ ମାନ୍ଦା ମାନ୍ଦା ଲାଗେ । ମନରେ ସରସତା ରହେନାହିଁ ତେଣୁ ଶରୀରକୁ ସୁସ୍ଥ ରଖିବାକୁ ହେଲେ ତୁମକୁ କାମ କରିବାକୁ ପଡ଼ିବ ।”

 

କୁନାର ବାପା କୁନାକୁ କହିଲେ–“ରୋବର୍ଟକୁ ଏହି ମଣିଷ ତିଆରି କରିଚି, ତାର ସାହାଯ୍ୟ ପାଇଁ । ବଡ଼ ବଡ଼ କାର୍ଯ୍ୟରେ ଲଗାଇ ସମୟ ବଞ୍ଚାଇବା ପାଇଁ । ନିଜେ ଅଳସୁଆ ହୋଇ ବଞ୍ଚି ରହିବା ପାଇଁ ନୁହେଁ । ମଣିଷଠାରୁ ରୋବର୍ଟର ଜ୍ଞାନ କେବେହେଲେ ଅଧିକ ନୁହେଁ । କାରଣ ଏହି କମ୍ପ୍ୟୁଟରକୁ ତ ମଣିଷ ଗଢ଼ିଚି ! ବଡ଼ ହେଲେ, ବେଶୀ ପାଠ ପଢ଼ି ତୁ କମ୍ପ୍ୟୁଟର ରୋବର୍ଟ ବିଷୟରେ ଅଧିକ ଜାଣିପାରିବୁ । ନିଜେ ପାଠ ପଢ଼ିଲେ, ସିନା କମ୍ପ୍ୟୁଟରକୁ ଠିକ୍‌କାମରେ ଲଗାଇ ପାରିବୁ ! ନଚେତ୍‌ ଏଇ ବର୍ଷ ପରି ସବୁ ବର୍ଷ ପରୀକ୍ଷାରେ ଫେଲ୍‌ ହେଉଥିବୁ ।”

 

କୁନା ନିଜର ଭୁଲ ବୁଝିପାରି କଇଁ କଇଁ ହୋଇ କାନ୍ଦି ଉଠିଲା । ମା ପାଖରେ ଶୋଇଥିଲେ । କୁନାକୁ ହଲେଇ ଦେଇ କହିଲେ–“କଣ ହେଲା ? ତୁ କାନ୍ଦୁଚୁ କାଇଁକି ?”

 

କୁନାର ନିଦ ଭାଙ୍ଗିଗଲା । ସେ ମାଆକୁ କୁଣ୍ଡାଇ ଧରି କହିଲା–‘ମା ! ମୁଁ ଏଥର ମୋ ନିଜ କାମ ନିଜେ କରିବି । ଆମର ଚାକର କି ରୋବର୍ଟ କିଛି ଦରକାର ନାହିଁ । ମୁଁ ମନ ଲଗାଇ ପାଠ ପଢ଼ି ବୈଜ୍ଞାନିକ ହେବି । ଆଉ ନିଜେ ରୋବର୍ଟ ତିଆରି କରିବି ! ଆଉ ଅଳସୁଆ ହୋଇ ରହିବି ନାହିଁ ।”

 

ମା’ କୁନାଠାରୁ ସ୍ଵପ୍ନରେ ଦେଖିଥ‌ିବା ସମସ୍ତ ଘଟଣା ଶୁଣିଲେ । ତା ମୁଣ୍ଡକୁ ଆଉଁସି ଦେଇ କହିଲେ–“ସୁନାପୁଅ !”

☆☆☆

 

ପିଙ୍କୁର ଅଗଷ୍ଟ ପନ୍ଦର

 

ଆଜି ଅଗଷ୍ଟ ପନ୍ଦର । ସ୍ଵାଧୀନତା ଦିବସ । ସ୍କୁଲରେ ପତକା ଉତ୍ତୋଳନ ପରେ ସଭା, ଆଉ ତା’ ପରେ ପୁରସ୍କାର ବିତରଣ ହେବ । ପିଙ୍କୁର ମନ, ଖୁସିରେ ନାଚି ଉଠୁଥାଏ । ସଂଗୀତ, ବକ୍ତୃତା ପ୍ରତିଯୋଗିତାରେ ତାକୁ ପ୍ରଥମ ପୁରସ୍କାର ମିଳିବ । ହେଡ଼ମାଷ୍ଟର କହିଛନ୍ତି ଅତିଥିଙ୍କୁ ଫୁଲମାଳ ପିଙ୍କୁ ପିନ୍ଧାଇବ । ତେଣୁ ଶୀଘ୍ର ଯାଇ ସ୍କୁଲରେ ପହଞ୍ଚିବାକୁ ପଡ଼ିବ ।

 

ସକାଳୁ ନିଦରୁ ଉଠି, ନିଜର ନିତ୍ୟକର୍ମ ଶେଷ କରି, ସଫା ପୋଷାକ ପିନ୍ଧି ପିଙ୍କୁ ଏଥର ଚାଲିଲା ସ୍କୁଲକୁ I ପାଖ ସାହି ଗଳି ମୋଡ଼ ପାରିହେଲା ବେଳକୁ ପିଙ୍କୁ ଦେଖିଲା, ତାଆରି ପରି ଛୋଟ ପିଲାଟିଏ ଖଣ୍ଡିଆ ଖାବରା ହୋଇ ରାସ୍ତାରେ ପଡ଼ିଛି । ଆଣ୍ଠେଇ ଆଣ୍ଠେଇ ଦୁଇ ହାତରେ କ’ଣ ଅଣ୍ଡାଳୁଛି । କିଛି ଦୂରରେ ବାଡ଼ି ଖଣ୍ଡେ ପଡ଼ିଛି । ପାଖରେ କେହି ନାହାନ୍ତି । ପିଙ୍କୁ ଧାଇଁଯାଇ ପିଲାଟିକୁ ତଳୁ ଉଠାଇଦେଲା । ପିଲାଟି ପିଙ୍କୁର ଦେହରେ ହାତମାରି କିଏ କିଏ ବୋଲି ପଚାରିଲା । ଆଖିରୁ ତାର ଝର ଝର ଲୁହ ଧାର ଝରି ପଡୁଥାଏ । ପିଙ୍କୁ କହିଲା–“ତୁମ ଆଖିକୁ କଣ ଦେଖାଯାଉନି ? ହେଲେ ତୁମକୁ ଏକୁଟିଆ ରାସ୍ତାକୁ କିଏ ପଠାଇଲା ?” ପିଲାଟି କହିଲା–“ଭାଇ ! ମୁଁ ଜନ୍ମରୁ ଅନ୍ଧ । ମାମୁ ମାଇଁଙ୍କ ପାଖରେ ରହୁଛି । ମାଇଁ ମତେ ଦୋକାନରୁ ଅଟା ଆଉ ଚିନି ପାଇଁ ପଠାଇଥିଲେ । ଇଏ ସହର ଯାଗା, ଜାଣେନା କାହା ଦେହରେ ଧକ୍କା ଲାଗିଲା, ଆଉ ମୁଁ ପଡ଼ିଗଲି !

 

ପିଙ୍କୁ ଦେଖିଲା ପିଲାଟିର ଖଣ୍ଡିଆ ଜାଗାରୁ ରକ୍ତ ଝରୁଛି । କଣ କରିବ କିଛି ଠିକ୍‌ କରିପାରିଲାନି । ଏଣେ ସ୍କୁଲ ବେଳ ହେଇଗଲାଣି । ଠିକ୍‌ ସମୟରେ ପହଞ୍ଚି ନ ପାରିଲେ ହେଡ଼ମାଷ୍ଟ୍ରେ ବିରକ୍ତ ହେବେ, ଗାଳି କରିବେ । ଏପଟରେ ବିଚରା ପିଲାଟି ଖଣ୍ଡିଆ ଖାବରା ହୋଇ ପଡ଼ିଛି । ପିଙ୍କୁର ମନେ ପଡ଼ିଲା ଜେଜେଙ୍କ କଥା । ଜେଜେ ଜଣେ ସ୍ଵାଧୀନତା ସଂଗ୍ରାମୀ । ସେ କହନ୍ତି–“କେବଳ ପତାକା ଉଡ଼ାଇ, ଚକୋଲେଟ୍‌ ବା ମିଠା ବାଣ୍ଟିଲେ ଅଥବା ଭୋଜିଭାତ କରି ଖାଇଲେ ଆମେ ସ୍ଵାଧୀନ ହୋଇଚେ ବୋଲି ଭାବିବାନି । ଯଦି ସତ୍ୟ ପଥରେ ଚଳି ଦୁଃଖୀ ରଙ୍କିଙ୍କର ସେବା କରିପାରିବା, ଦେଶର, ସମାଜର ମଙ୍ଗଳ କରିପାରିବା, ତେବେ ଯାଇ ଆମେ ପ୍ରକୃତରେ ସ୍ଵାଧୀନ ହେଇଚେ ବୋଲି ଭାବିବା । ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ସ୍ଵପ୍ନକୁ ସତ କରିପାରିବା ।”

 

ପିଙ୍କୁ ମନକୁ ଦୃଢ଼ କଲା । ଭାବିଲା ହେଡ଼ମାଷ୍ଟ୍ରେଙ୍କ ଠାରୁ ଗାଳି ଶୁଣିଲେ, ସହିନେବ । ହେଲେ ଏଇ ପିଲାଟିକୁ ଏକୁଟିଆ ଛାଡ଼ି ଯିବନି । ପିଙ୍କୁ ପିଲାଟିକୁ ସାଥିରେ ଧରି ପାଖ ଡାକ୍ତରବାବୁଙ୍କ କ୍ଲିନିକ ଆଡ଼କୁ ମୁହାଁଇଲା । ବାଟରେ ପିଲାଟି କହିଲା–“ମୋ ନାଁ ନିଧି । ଏଇ କେଇ ବର୍ଷ ଆଗେ ଯେଉଁ ବଡ଼ ବଢ଼ି ହୋଇଥିଲା, ସେଥିରେ ମୋ ଘର ଭାସିଗଲା । ବାପା ମା, ସାନ ଭଉଣୀ ସମସ୍ତେ ଭାସିଗଲେ । ଅଜା ଆଈଙ୍କ ପାଖରେ ରହୁଥିଲି । ହେଲେ ଅଜା ଆଈ ମରିଯିବାରୁ ମାମୁଁଙ୍କ ପାଖରେ ରହୁଛି ।”

 

ଗପୁ ଗପୁ ଦୁହେଁ ଡାକ୍ତରବାବୁଙ୍କ ଘରେ ପହଞ୍ଚିଗଲେ । ଡାକ୍ତରବାବୁ ପିଙ୍କୁକୁ ଆଗରୁ ଚିହ୍ନିଥିଲେ । ସେ ନିଧିର ଅବସ୍ଥା ଦେଖି ସଂଗେ ସଂଗେ ଟିଟାନସ୍‌ ଇଞ୍ଜେକ୍‌ସନ୍‌ ଦେଲେ । କ୍ଷତସ୍ଥାନରୁ ମାଟି, ଧୂଳି ଭଲକରି ପୋଛି ମଲମ ଲଗାଇ ତୁଳା ଓ ପତଳା ଗଜ କନାରେ ବାନ୍ଧି ଦେଲେ । ଖାଇବାକୁ ଔଷଧ ଲେଖିଦେଲେ ।

 

ପିଙ୍କୁ ନିଧିକୁ ଧରି ଘରକୁ ଫେରିଲା । ଘରେ ସବୁ କଥା ବୁଝାଇ କହିଲା । ପିଙ୍କୁର ମା’ ନିଧିକୁ ଆଉଁସି ଦେଇ କୋଳକୁ ନେଲେ । ଦେଖିଲେ, ନିଧି ଦେହରେ ସାମାନ୍ୟ ଜ୍ଵର ଅଛି । କଣ କରିବେ ? ନିଧି ବି ସହରକୁ ନୂଆ କରି ଆସିଥିବାରୁ, ତା ମାମୁଁଙ୍କ ବସା ଠିକଣା ଠିକ୍‌ ଭାବରେ କହିପାରୁ ନଥାଏ । ଜେଜେ କହିଲେ ବ୍ୟସ୍ତ ହବାର କିଛି ନାହିଁ ।” ପିଙ୍କୁର ମା ନିଧିକୁ ଆଦର କରି ପାଖରେ ବସାଇ ଖାଇବାକୁ ଦେଲେ । ଔଷଧ ଖୁଆଇ ଦେଇ କହିଲେ, “ବାପା ! ଶୋଇପଡ଼, ଦେହ ଭଲ ହେଇଯିବ ! ପିଙ୍କୁ ! ତୋର ତ ସ୍କୁଲ ଡ଼େରି ହେଇଯିବଣି ତୁ ଯାଆ” । ପିଙ୍କୁ ମୁଣ୍ଡ ହଲାଇ କହିଲା–“ନାଇଁ ମା ! ନିଧିର ଦେହ ଭଲ ନ ହେଲା ଯାଏ, ମୁଁ କୁଆଡ଼େ ଯିବିନି । ଏଇଠି ତା ପାଖରେ ବସିବି ।”

 

ଦି’ପହର ଯାଇ ଛାଇ ଲେଉଟାଣି ବେଳହେଲା । ନିଧିର ଜ୍ଵର କମିଗଲା । ଜେଜେ ନିଧି ପାଖରେ ଯାଇ ବସିଲେ । ତା ପିଠି ଆଉଁସି ଦେଇ ଭଲ-ମନ୍ଦ କଥା ପଚାରି ବୁଝିଲେ । ନିଧି କହିଲା–“ମୋର ପାଠ ପଢ଼ିବାକୁ ଭାରି ଇଚ୍ଛା ବାବୁ । ହେଲେ ପଢ଼େଇବ କିଏ ? ଆଉ ତା’ ଛଡା ମୁଁ ତ ଅନ୍ଧାଟାଏ ! ମୁଁ ବା କେମିତି ପାଠ ପଢ଼ିବି ଯେ ?” ଜେଜେ କହିଲେ–‘‘ତୁ ଜାଣିନୁ ନିଧି ! କି ଅନ୍ଧ, କି ମୁକ, କି ବଧିର ଆଜି କାଲି ସଭିଏଁ ପାଠ ପଢ଼ି ପାରୁଛନ୍ତି । ସବୁ କିଛି କାମ କରିପାରୁଛନ୍ତି, ଠିକ୍ ଆମରି ପରି ।” ନିଧି ଆଶ୍ଚର୍ଯ୍ୟ ହୋଇ କହିଲା–“ସତେ ନା କ’ଣ ଜେଜେ ?” ଜେଜେ କହିଲେ–“ହଁ ତୁମରି ପରି ଅନ୍ଧ ପିଲାମାନେ ପଢ଼ିବା ପାଇଁ ଆମ ରାଜଧାନୀ ଭୁବନେଶ୍ଵରରେ ଗୋଟିଏ ଦୃଷ୍ଟିହୀନ ବିଦ୍ୟାଳୟ ରହିଚି । ତୁ ଚାହିଁଲେ ମଧ୍ୟ ସେଠି ପାଠ ପଢ଼ିପାରିବୁ ।”

 

ଏମିତି ଦୁଃଖ ସୁଖ ହଉ ହଉ ସଞ୍ଜ ଘଡ଼ି ହୋଇଗଲା । ପିଙ୍କୁ ହାତ ଗୋଡ଼ ଧୋଇ ପ୍ରାର୍ଥନା କରିବାକୁ ଠାକୁର ଘରକୁ ଚାଲିଗଲା । ପିଙ୍କୁର ପ୍ରାର୍ଥନା ଶୁଣି ନିଧି ଯାଇ ସେଠି ବସିଲା l ନିଧି ବି ଗୋଟିଏ ସୁନ୍ଦର ପ୍ରାର୍ଥନା ଗାଇଲା । ତା ଗୀତ ଶୁଣି ଜେଜେ ତାକୁ କୁଣ୍ଡାଇ ପକେଇ କହିଲେ–“ତୁମେ ତ ବେଶ୍‌ ସୁନ୍ଦର ଗୀତ ବୋଲି ପାରୁଚ !” ନିଧି କହିଲା–“ମୁଁ ତ ମୁରୁଖ ପିଲା, ଲେଖି ପଢ଼ି ଜାଣେନି । ପୁଣି ଅନ୍ଧ ବୋଲି କେହି ବି କୁଆଡ଼େ ନିଅନ୍ତି ନି । ତେଣୁ ମୋ ମନକୁ ମନ ଏଇ ଗୀତଟି ଭାବି, ସ୍ଵରଦେଇ ଗାଏ । ଈଶ୍ଵରଙ୍କୁ ଡାକେ, ପଚାରେ କାହିଁକି ମତେ ଅନ୍ଧ କଲେ ବୋଲି ।” ଜେଜେ କହିଲେ “ଛି ! ସେମିତି କୁହନ୍ତନି । ତୁମ ପାଖରେ ଅନେକ ସୁଗୁଣ ରହିଚି । ତୁମେ ଚାହିଁଲେ ସନ୍ଥ କବି ଭୀମ ଭୋଇଙ୍କ ପରି ଜଣେ ବଡ଼ କବି ହୋଇପାରିବ । ସିଏ ବି ତ ଅନ୍ଧ ଥିଲେ । ତୁମେ ମନ ଉଣା କରନି ।”

 

ତା’ ପରଦିନ ସ୍କୁଲରେ ଖେଳଛୁଟି ପରେ ହେଡ଼ମାଷ୍ଟ୍ରେ ପିଙ୍କୁର ଶ୍ରେଣୀକୁ ଆସିଲେ । ପିଙ୍କୁକୁ ଶ୍ରେଣୀରେ ଦେଖି ଆଖି ବଡ଼ ବଡ଼ କରି ପାଖକୁ ଡାକି ବହୁତ ଗାଳିଦେଲେ । ପାଖରେ ପଡ଼ିଥିବା ବେତରେ ଦୁଇଚାରି ପାହାର ବସେଇଦେଲେ । ପିଙ୍କୁ କହିଲା–‘‘ସାର୍‌ ! ମୋର ଭୁଲ ହେଇଚି । ଗତକାଲି ସ୍କୁଲରେ ଠିକ୍‌ ସମୟରେ ପହଞ୍ଚିପାରି ନଥିବାରୁ, ଆପଣ ଯାହା ଦଣ୍ଡ ଦେବେ ଦିଅନ୍ତୁ ।” ହେଡ଼ମାଷ୍ଟ୍ରେ ଟିକେ ଥମିଗଲେ । ସିଏ ଜାଣନ୍ତି, ପିଙ୍କୁ ବିଦ୍ୟାଳୟର ସବୁଠାରୁ ଭଲ ଛାତ୍ର । ପାଠରେ ଯେମିତି, ଅନ୍ୟ ଗୁଣରେ ବି ସେମିତି । ସିଏ ତ ଏପରି ଭୁଲ କରିବା କଥା ନୁହେଁ ।

 

ହେଡ଼ମାଷ୍ଟ୍ରଙ୍କ ପାଟି ଶୁଣି ସେତେବେଳକୁ ପାଖ ଶ୍ରେଣୀରେ ପଢ଼ାଉଥ‌ିବା ଜଣେ ଦୁଇଜଣ ଶିକ୍ଷକ ଆସି ଠିଆ ହେଲେଣି । ଜଣେ ଶିକ୍ଷକ ପିଙ୍କୁ ପାଖକୁ ଲାଗି ଆସି କହିଲେ–“ତୁମକୁ ଅପେକ୍ଷା କରି ଗତକାଲି ସଭା ଆରମ୍ଭ ହେବାକୁ ଉଚ୍ଛୁର ହେଲା । ଆମେ ଅପଦସ୍ଥ ହେଲୁ । ତୁମେ କ’ଣ ପାଇଁ ଆସିଲନି ?” ପିଙ୍କୁ ଗତକାଲି ଘଟିଥିବା ସମସ୍ତ ଘଟଣା ବୁଝାଇ କହିଲା । ପିଙ୍କୁ ଠାରୁ ସବୁକଥା ଶୁଣି ହେଡ଼ମାଷ୍ଟ୍ରେ ତାକୁ କୁଣ୍ଡାଇ ପକାଇଲେ । କହିଲେ–“ତୁମେ କେବଳ ଏଇ ବିଦ୍ୟାଳୟର ସବୁଠାରୁ ଭଲଛାତ୍ର ନୁହଁ, ତୁମେ ଆମ ବିଦ୍ୟାଳୟର ଗୌରବ ।” ଅନ୍ୟ ଶିକ୍ଷକମାନେ ବି ପିଙ୍କୁର ଅନେକ ପ୍ରଶଂସା କଲେ । ମୁଣ୍ଡ ଆଉଁସି ଦେଇ ଆଶିର୍ବାଦ କଲେ ।

 

ଏଣେ ନିଧିର ଅନ୍ଧ ବିଦ୍ୟାଳୟରେ ନାମ ଲେଖା ହୋଇଗଲା । ଗରିବ ପିଲା ବୋଲି ପଢ଼ିବା ପାଇଁ ସରକାରଙ୍କ ଠାରୁ କିଛି ଟଙ୍କା ସାହାଯ୍ୟ ମିଳିଲା । ନିଧି ମନ ଲଗାଇ ପାଠ ପଢ଼ି ସ୍କୁଲ ପରେ କଲେଜରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା । ଆଉ ସେଇ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷକ ଚାକିରୀ କଲା । ସୁନ୍ଦର ସୁନ୍ଦର କବିତାମାନ ଲେଖି ଜଣେ ଭଲ କବି ଭାବରେ ଦେଶରେ ନାଁ କଲା । ଏବେ ବି ପିଙ୍କୁ ଆଉ ନିଧି ଦୁହେଁ ସାଙ୍ଗ ହୋଇ ରହିଛନ୍ତି ।

☆☆☆

 

ଲିପି ଓ ପରୀଜେମା

 

ଛୋଟ ଗାଁଟିରେ ଲିପିର ଘର । ଲିପିର ମାଆ ତାକୁ ଜନମ ଦେଇ ସରଗ ପୁରକୁ ଚାଲିଯାଇଛି । ନୂଆ ମାଆ ଲିପିକୁ ମୋଟେ ଭଲ ପାଆନ୍ତିନି । ସ୍ନେହ ଆଦର କରନ୍ତିନି । ଲିପିର ସାନଭାଇ ନାଁ ରାଜୁ । ନୂଆ ମା ରାଜୁକୁ ବହୁତ ଗେହ୍ଲା କରନ୍ତି । ଭଲ ଭଲ ଚିଜ ଖାଇବାକୁ ଦିଅନ୍ତି । ନିଇତି ନୂଆ ନୂଆ ଖେଳନା ଖେଳିବାକୁ ଦିଅନ୍ତି । ଆଉ ଲିପି ଝିଅଟିଏ ବୋଲି ତାକୁ ଲୁଗାସଫା, ବାସନମଜା, ଘରଓଳା ଆହୁରି କେତେ କାମ କରିବାକୁ ଦେଇ ନିଜେ ଆରାମ କରନ୍ତି । ସାଙ୍ଗ ସାଥୀରେ ଖେଳିବାକୁ ଛାଡ଼ନ୍ତିନି । ଲିପିର ବାପା ଲିପିକୁ ଭଲ ପାଆନ୍ତି । ହେଲେ ନୂଆ ମା’ ବାପାଙ୍କ ସାଥୀରେ କଳିକରେ । କହେ, “ଝିଅଟାକୁ ଏତେ ଗେଲ ଆଦର କାଇଁକି କରୁଚ ମ ? କ’ଣ ଚାକିରୀ କରି ତମକୁ ପୋଷିବ ?” ଏକୁଟିଆ ହୋଇ ଚଳୁଥିବାରୁ ଲିପି ମନରେ କେତେବେଳେ ସରସତା ନଥାଏ ।

 

ଦିନେ ନଈକୂଳ ପାଖ ଆମ୍ବଗଛ ମୂଳେ ବସୁ ବସୁ ଲିପିର ଆଖିପତା କେତେବେଳେ ମୁଦି ହୋଇଯାଇଛି, ସିଏ ଜାଣିପାରିନି । କାହାର କଅଁଳ ହାତର ଛୁଆଁରେ ତା’ର ନିଦ ଭାଙ୍ଗିଗଲା । ଚାହିଁ ଦେଖେ ତ, ସୁନ୍ଦର ଝିଅଟିଏ । ସତେକି ପରଲଗା ପୋଷାକଟିଏ ପିନ୍ଧି ଛିଡ଼ା ହୋଇଛି । ମୁହଁରୁ ତା’ର ହସର ଫୁଲ ଯେମିତି ଝରି ପଡ଼ୁଛି । ଝିଅଟି ହସି ହସି କହିଲା–“ମୁଁ ପରୀ ରାଇଜର ରାଜକୁମାରୀ ମୋ ନାଁ ମଇନା । ତୋ ନାଁ କ’ଣ ?” ଲିପି ଡରି ଡରି କହିଲା–“ମୋ ନାଁ ଲିପି” । ଲିପିର ଶୁଖିଲା ମୁହଁକୁ ଦେଖି ମଇନା ପଚାରିଲା–“ଲିପି ! ତୋର ଏଇ କୁନି ସୁନ୍ଦର ମୁହଁଟି ଶୁଖିଯାଇଚି କାହିଁକି ? ତୁ କଣ ଭାରୀ ଦୁଃଖୀ ? କ’ଣ ହେଇଚି ।”

 

ଲିପି ମଇନାକୁ ତା’ ଦୁଃଖ କାହାଣୀ କହି ବସିଲା । ଲିପି କଥା ଶୁଣି ମଇନାର ଆଖି ଛଳ ଛଳ ହୋଇଉଠିଲା । ସିଏ କହିଲା–“ଛିଃ ! ସୁନା ଭଉଣୀଟାପରା ! କାନ୍ଦନ୍ତି । ଆଜି ଠାରୁ ମୁଁ ତୋର ସାଙ୍ଗ ହେଲି । ନିଇତି ତୋ ସାଥୀରେ ଖେଳିବି, ବୁଲିବି । ହେଲେ, ତୁ କାହା ଆଗରେ ଏକଥା କହିବୁ ନାହିଁଟି !”

 

ଲିପି କହିଲା–“ମଇନା ! ସଞ୍ଜ ହେଲାଣି ! ମୁଁ ଘରକୁ ଯାଉଚି । ନହେଲେ ନୂଆ ମା’ ଗାଳି କରିବ । ମାଡ଼ ମାରିବ !”

 

ମଇନା କହିଲା–“ମୁଁ ବି ମୋ ଘରକୁ ଯାଉଚି । ଏଇ ନୀଳ ଆକାଶର ଜହ୍ନ ରାଇଜରେ ମୋ ଘର । କାଲି ପୁଣି ଏଇଠି ଦେଖାହେବ ।” ଏତକ କହି ମଇନା ନୀଳ ଆକାଶକୁ ଫୁର କରି ଉଡ଼ିଗଲା । ଲିପି ଘରକୁ ଲେଉଟି ଆସିଲା ।

 

ତା’ ପରଦିନ ଦୁହେଁ ଓପରଓଳି ନଈକୂଳେ ଏକାଠି ହେଲେ । ମଇନା ଲିପି ହାତରୁ ସବୁ ପାଇଟି ଛଡ଼େଇ କରିବସିଲା । ମଇନା ହାତରେ କି ଯାଦୁ ଥିଲା କେଜାଣି, ବାସନମଜା, ଲୁଗାକଚା କାମ ନିମିଷକରେ କରି ଥୋଇଦେଲା । ଲିପିର ହାତଧରି ତାକୁ ନେଇଗଲା ଏକ ସୁନ୍ଦର ଫୁଲ ବଗିଚାକୁ । ଜୁଇ, ହେନା, କନିଅର ଆହୁରି ଭଳିକି ଭଳି ଫୁଲର ସୁବାସରେ ମହକି ଉଠୁଥାଏ ବଗିଚା । ତା ସହିତ ଆମ୍ବ, ସେଓ, ପିଜୁଳି, କଦଳୀ ଆଉ କେତେ ରକମର ଫଳ ଗଛରେ ବଗିଚାଟି ହସି ଉଠୁଥାଏ । ମଇନା ପୁଞ୍ଜାଏ ଫଳ ତୋଳି ଆଣିଲା । ଦୁହେଁ ଫୁଲ ବଗିଚାରେ ବସି ପେଟ ଭରି ଖାଇଲେ । ତା’ ପରେ ଖେଳ କୁଦରେ ମାତିଗଲେ । ସଞ୍ଜ ହେବା ଆଗରୁ ଯେଝା ଘରକୁ ଲେଉଟି ଗଲେ ।

 

ଏଣିକି ନିଇତି ଦୁଇଜଣଙ୍କର ଠିକ୍‌ ସମୟରେ ନଈ କୂଳେ ଦେଖା ହୁଏ । ପରୀକୁମାରୀ ମଇନା ଲିପିକୁ ସୁନ୍ଦର ସୁନ୍ଦର କାହାଣୀ ଶୁଣାଏ । ଏ ଦେଶର ବୀରା ରମଣୀମାନଙ୍କର ଜୀବନ କଥା ବଖାଣୀ ବସେ । ଝାନ୍‌ସୀରାଣୀ ଲକ୍ଷ୍ମୀବାଈ, ରେଜିୟାସୁଲ୍‌ତାନା, ମଦର ଟେରେସାଙ୍କ କଥା ଶୁଣି ଲିପି ମନରେ ସାହସ, ଧୈର୍ଯ୍ୟ ବଢ଼ାଏ । ଝିଅହୋଇ ଜନ୍ମ ହେଇଛି ବୋଲି ଆଉ ମନ ଊଣା କରେନି ।

 

ଦିନକୁ ଦିନ ଲିପିର ବିଦ୍ୟାବୁଦ୍ଧି ବଢ଼ିବାରେ ଲାଗିଲା । ଖେଳକୁଦ କରିପାରୁ ଥିବାରୁ ମନରେ ସରସତା ଦେଖାଦେଲା । ହେଲେ ସାବତ ମା’ର କଷଣ କମିଲାନି । ମଇନା ଲିପିକୁ ବୁଝାଏ, କହେ–‘‘ଦେଖିବୁ ଲିପି, ତୋ ମା ଦିନେ ତା’ ନିଜ ଭୁଲ୍‌ବୁଝିପାରିବ । ତତେ ସ୍ନେହ ଆଦର କରିବ । ଭଗବାନଙ୍କ ଉପରେ ଭରସା ରଖ । ସିଏ ସମସ୍ତଙ୍କ ଦୁଃଖ ବୁଝନ୍ତି । ତୋଦୁଃଖ ବି ବୁଝିବେ-।”

 

ଦିନକର ଘଟଣା । ନଈ କୂଳରୁ ଛୋଟ ଛୋଟ ପିଲାଙ୍କର ପାଟି ଶୁଣାଗଲା–“ବୁଡ଼ିଗଲା”-। “ବୁଡ଼ିଗଲା ।” ଘରେ ଏକା ଲିପି । ଘରଟା ଯାକର କାମ । ଲିପିର ମନ ଆଉ କାମରେ ଲାଗିଲାନି-। ଲିପି ଏକ ମୁହାଁ ହୋଇ ଧାଇଁଲା ନଈ କୂଳକୁ । ନଈ କୂଳରେ ପହଞ୍ଚି ଲିପି ଯାହା ଦେଖିଲା, ଆଖିକୁ ବିଶ୍ଵାସ କରିପାରିଲାନି । ତା’ ସାନଭାଇ ରାଜୁ ପାଣିରେ ପଡ଼ି ଉବୁଟୁବୁ ହେଉଚି-। ମା’ ବିକଳ ହେଇ କାନ୍ଦୁଚି । କୂଳରେ ଜମା ହୋଇଥିବା ଲୋକଙ୍କ ଭିତରୁ କେହି ସାହସ କରି ନଈ ଭିତରକୁ ଯାଉନାହାନ୍ତି । ଲିପି ସମସ୍ତଙ୍କୁ ଆଡ଼େଇ ଦେଇ ନଈ ପାଣିକୁ ଡେଇଁ ପଡ଼ିଲା-। ଆଖି ପିଛୁଳାକେ ରାଜୁକୁ ପାଣି ଭିତରୁ ଜାବୁଡ଼ି ଧରି ପହଁରି ପହଁରି କୂଳ ଆଡ଼କୁ ନେଇ ଆସିଲା । ଛୋଟ ଝିଅ ଲିପି, ଭାଇକୁ ଧରି ଧଇଁସଇଁ ହୋଇ ଯାଉଥାଏ । ପାଟିରେ ଆଖିରେ ପାଣି ପଶି ଯାଉଥାଏ-। ଠିକ୍‌ କୂଳ ନିକଟରେ ହୋଇଚି, ଲିପିର ମୁଣ୍ଡ କୂଳରେ ଥିବା ଗୋଟିଏ ବଡ଼ ପଥରରେ ପିଟି ହୋଇ ଯିବାରୁ ମୁଣ୍ଡଫାଟି ରକ୍ତ ଝରିବାକୁ ଲାଗିଲା । ହେଲେ ଲିପି ସେଥିକି ଖାତିର ନକରି ରାଜୁକୁ ପଥର ଉପରେ ବସାଇଦେଲା । ସେତେବେଳକୁ ଗାଁଟା ଯାକର ଲୋକ ରୁଣ୍ଡ ହୋଇଗଲେଣି । ଲିପିର ବାପା ଧାଇଁ ଆସି ଲିପି ଓ ରାଜୁକୁ ଦୁଇ ହାତରେ ଟେକି ନେଇଗଲେ । ଗାଁଟା ଯାକର ଲୋକ ଲିପିକୁ ଧନ୍ୟ ଧନ୍ୟ କଲେ । କହିଲେ–“ସତରେ ଝିଅ ନୁହଁ ତ, ହୀରା ଖଣ୍ଡେ-।”

 

ଦିନକ ପରେ ରାଜୁ ଠିକ୍‌ ହୋଇଗଲା । ଲିପିର ମୁଣ୍ଡରେ ପଟିବନ୍ଧା ହୋଇଥାଏ । ତାକୁ ଭୀଷଣ ଜର । ବାପା ପାଖରେ ବସି ମୁଣ୍ଡ ଆଉଁସି ଦେଉଥାନ୍ତି । ଲିପିର କିନ୍ତୁ ହୋସ୍‌ ନଥାଏ । ଜର କୋପରେ ସେ ବାଉଳି ଚାଉଳି ହେଉଥାଏ । “ମା ! ତୁ କୁଆଡ଼େ ଗଲୁ ମାଆ ! ମତେ ବି ତୋ ପାଖକୁ ସେଇ ତାରା ରାଇଜକୁ ନେଇଯାଆ ।”

 

ଲିପିର ନୂଆ ମା ସେତେବେଳକୁ ତାଙ୍କର ଭୁଲ ବୁଝି ସାରିଲେଣି । ନିଜେ ଜନ୍ମ ଦେଇ ନଥିବାରୁ, ଯେଉଁ ଲିପିକୁ ସିଏ ଏତେ ଦୁଃଖ ଯନ୍ତ୍ରଣା ଦେଉଥିଲେ, ଝିଅଟାଏ ଭାବି ସ୍ନେହ ଆଦର କରୁନଥିଲେ, ଆଜି ସେଇ ଝିଅ ପାଇଁ ସେ ତାଙ୍କ ରାଜୁକୁ ମରଣ ମୁହଁରୁ ଫେରି ପାଇଲେ । ଏବେ ସେଇ ଲିପିକୁ ସେ ମରଣ ମୁହଁକୁ ଠେଲି ଦେବେ କେମିତି ? ମା ଲିପିକୁ କୋଳକୁ ଆଉଜେଇ ନେଲେ । ମଥାରୁ ଝାଳ ପୋଛିଦେଇ କହିଲେ–“ଲିପି ! ଆଖି ଖୋଲ ଝିଅ ! ମୋର ଭୁଲ ମୁଁ ବୁଝି ପାରିଚି । ଆଜିଠାରୁ ମୁଁ ତୋର ନୂଆ ମା’ ନୁହେଁ, ଖାଲି ମା ! ତୁ ମୋର ଅତି ଅଲିଅଳି ଝିଅ । ମୋ କୁଳର ମଣି !”

 

ମା’ଙ୍କର ସ୍ନେହ ଆଦର, ସେବା ଯତ୍ନରେ ଲିପିର ଦେହ ଧୀରେ ଧୀରେ ଭଲ ହେବାରେ ଲାଗିଲା । ଲିପି ସ୍କୁଲ ଗଲା । ଭଲ ପାଠପଢ଼ି, ଭଲ କାମ କରି ଖାଲି ତା ଗାଆଁର ନୁହଁ, ସାରା ଦେଶର ନାଁ ରଖିଲା । ସମସ୍ତଙ୍କୁ ଦେଖେଇ ଦେଇପାରିଲା ଯେ, ଝିଅ ବି କୌଣସି ଗୁଣରେ ପୁଅଙ୍କ ଠାରୁ କମ୍‌ ନୁହଁନ୍ତି । ଧନ୍ୟ ଲିପି । ଧନ୍ୟ ସେଇ ପରି ରାଜକୁମାରୀ ମଇନା ।

Image